jayashree

ଅପହରଣ ପରେ ଯୁବକଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ କରୁଛି ରେଲୱେ ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ନିକଟସ୍ଥ ଖୁଜେନପାଲି ପାଖରୁ ଜଣେ ଯୁବକଙ୍କ ମୃତ ଦେହ ମିଳିଛି । ଯୁବକଙ୍କୁ ହତ୍ୟା କରାଯାଇଥିବା ସଂଦେହ କରାଯାଉଛି । ମୃତ ଯୁବକ ଜଣକ ଅଏଁଲାଚୁଆଁ ଗ୍ରାମର ରଜତ କୁମାର ପଧାନ(୨୩) ବୋଲି ଜଣାପଡ଼ିଛି । ତେବେ ରଜତଙ୍କୁ ଅପହରଣ କରି ହତ୍ୟା କରାଯିବା ସହ ତାଙ୍କ ମୃତଦେହକୁ ଟ୍ରେନ୍‌ ଲାଇନ୍‌ରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ରଜତ କୁମାର ପଧାନଙ୍କ ବାପା ନିରାକାର ପଧାନ କହିଛନ୍ତି ଯେ, ଗତକାଲି ସଂଧ୍ୟା ୭ଟା ସମୟରେ ରଜତ ଘରୁ ବାହାରିଥିଲେ ଓ ଆଉ ଘରକୁ ଫେରି ନଥିଲେ । ରାତି ୮ଟା ପରେ ରଜତଙ୍କ ମୋବାଇଲ୍‌କୁ କଲ୍‌ ଯିବା ମଧ୍ୟ ଆଉ ସମ୍ଭବ ହୋଇ ନଥିଲା । ରଜତଙ୍କୁ କିଛି ଲୋକେ ପିକ୍‌ଅପ୍‌ ଭ୍ୟାନ୍‌ରେ ଉଠାଇ ନେଇଥିବା ଗାଁର କିଛି ମହିଳା କହିଥିଲେ । ବଲାଙ୍ଗିର ସଦର ପୋଲିସର ସହାୟତାରେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ରଜତଙ୍କୁ ଖୋଜିଥିଲେ ବି ତାଙ୍କର ପତ୍ତା ମିଳି ନଥିଲା । ଆଜି ସକାଳୁ ରେଳ ଲାଇନ୍‌ ଉପରେ ମୃତଦେହ ପଡ଼ିଥିବା ଖବର ଦେଇଥିଲା ରେଲୱେ ପୁଲିସ । ଏହାପରେ ରେଲୱେ ପୁଲିସ ଶବ ଜବତ କରି ପୋଷ୍ଟମର୍ଟମ୍‌ ପାଇଁ ପଠାଇଥିଲା । ଅଧିକ ତଦନ୍ତ ଜାରି ରଖିଛି ରେଲୱେ ପୁଲିସ । ସୂଚନାଯୋଗ୍ୟ ଯେ, ରଜତ କବରକାନି ପଞ୍ଚାୟତରେ ଯୋଗାଣ ସହାୟକ ଭାବେ କାମ କରୁଥିବା ବେଳେ କୌଣସି କାରଣରୁ ଗତ ୨ ମାସ ହେବ ସେ କାମ ଛାଡ଼ି ଦେଇଥିଲେ । ତେବେ କେଉଁ କାରଣରୁ ରଜତଙ୍କୁ ପିକ୍‌ଅପ୍‌ ଭ୍ୟାନ୍‌ ସାହାଯ୍ୟରେ ଅପହରଣ କରାଯାଇଛି ? କେଉଁମାନେ ଅପହରଣ କରିଥିଲେ ? କାହିିଁକି ରଜତଙ୍କୁ ହତ୍ୟା କରାଯାଇଛି ? ଏଭଳି ଅନେକ ପ୍ରଶ୍ନ ଏବେ ଗ୍ରାମବାସୀଙ୍କ ମଧ୍ୟରେ ରହିଥିବା ବେଳେ ରେଲୱେ ପୁଲିସ ତନାଘନା ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

Leave A Reply

Your email address will not be published.