ଜଙ୍ଗଲରୁ ଯୁବକଙ୍କ ଦରପୋଡ଼ା ଶବ ଜବତ : ହତ୍ୟା ସନ୍ଦେହ, ତଦନ୍ତ ଅବ୍ୟାହତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଚକାପାଦ ବ୍ଲକର ଲାଇନପଡ଼ା-ପସରା ଗ୍ରାମ ରାସ୍ତାରେ ଥିବା ଚୂନଘାଟି ଜଙ୍ଗଲରୁ ଜଣେ ଯୁବକଙ୍କ ଦରପୋଡ଼ା ଶବ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ହେଲେ ଖଜୁରୀପଡ଼ା ଥାନା ଆର୍.ନୂଆଗାଁ ପଞ୍ଚାୟତ ଖଲିବେରଣା ଗ୍ରାମର ଦୁର୍ଯ୍ୟୋଧନ ବଗର୍ତ୍ତୀ (୩୫) । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ରବିବାର ଦିନ ଦୁର୍ଯ୍ୟୋଧନ ଚିକେନ୍ ଖାଇବା ପାଇଁ ତାଙ୍କ ବାପା ଦାଶରଥି ବଗର୍ତ୍ତୀଙ୍କୁ ଟଙ୍କା ମାଗିଥିଲେ । ବାପାଙ୍କ ପାଖରେ ଟଙ୍କା ନଥିବାରୁ ସେ କିଛି ଧାନ ବିକି ଚିକେନ୍ କିଣିବାକୁ ପରାମର୍ଶ ଦେଇଥିଲେ । ଧାନ ବିକ୍ରି କରି ଚିକେନ୍ ଆଣି ଖାଇବା ପରେ ସେହିଦିନ ସନ୍ଧ୍ୟାରେ ଦୁର୍ଯ୍ୟୋଧନ ଘରୁ ବାହାରକୁ ଯାଇଥିଲେ, ମାତ୍ର ଆଉ ଫେରିନଥିଲେ । ଦୁଇ ଦିନ ଧରି ଖୋଜାଖୋଜି କରିବା ପରେ ମଧ୍ୟ ଦୁର୍ଯ୍ୟୋଧନଙ୍କ କୌଣସି ପତ୍ତା ନମିଳିବାରୁ ପରିବାର ପକ୍ଷରୁ ଖଜୁରୀପଡ଼ା ଥାନାରେ ଏତଲା ଦିଆଯାଇଥିଲା । ବୁଧବାର ସକାଳେ ଚୂନଘାଟି ଜଙ୍ଗଲରେ ଏକ ଅର୍ଦ୍ଧଦଗ୍ଧ ଶବ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ଟିକାବାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବଟି ଦୁର୍ଯ୍ୟୋଧନଙ୍କର ବୋଲି ଚିହ୍ନଟ କରିଥିଲା । ମୃତକଙ୍କ ବାପାଙ୍କ ଲିଖିତ ଅଭିଯୋଗ ଆଧାରରେ ଟିକାବାଲି ପୋଲିସ କେସ୍ ନଂ ୦୫/୨୫ପ୍ରକାରେ ଏକ ମାମଲା ରୁଜୁ କରିଛି । ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ବୌଦ୍ଧରୁ ଏକ ସାଇଣ୍ଟିଫିକ ଟିମ୍ ଆସି ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିବା ସହ ଛାନଭିନ୍ ଆରମ୍ଭ କରିଛି । ଟିକାବାଲି ଥାନା ଅଧିକାରୀଣୀ ପ୍ରଜ୍ଞା ରିତାମ୍ବର କରଙ୍କ ସୂଚନା ଅନୁଯାୟୀ ଶବ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଏହି ମାମଲାରେ କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି । ଖୁବ୍ ଶୀଘ୍ର ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ହେବ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ପୋଲିସର ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ଜଣାପଡ଼ୁଥିଲେ ମଧ୍ୟ ହତ୍ୟାର ପ୍ରକୃତ କାରଣ ଏବେ ବି ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.