ସୋର : ଏକତରଫା ପ୍ରେମରୁ ବିଭତ୍ସ ହତ୍ୟା । ପ୍ରେମରେ ବିଫଳ ହେବାରୁ ପ୍ରେମିକାର ଜୀବନ ନେଲା ପ୍ରେମିକ । ଯୁବତୀଙ୍କ ଗଳା କାଟି ହତ୍ୟା । ସୋର ପୌରପାଳିକା ଅନ୍ତର୍ଗତ ଲିଙ୍ଗପଡା ଗ୍ରାମରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ । ସୂଚନା ଅନୁଯାୟୀ, ସୋର ପୌରାଞ୍ଚଳ ଲିଙ୍ଗପଡ଼ା ଗ୍ରାମର ଜ୍ୟୋତିର୍ମୟୀ ରଣା ଭୁବନେଶ୍ଵରରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ । ଦୁଇ ମାସ ତଳେ ସେ ଘରୁ ଆସିଥିଲେ । ଆଜି ଘରେ କେହି ନଥିବା ବେଳେ ଜ୍ୟୋତିର୍ମୟୀଙ୍କ ଗଳା କାଟି କେହି ହତ୍ୟା କରିଦେଇଥିଲା । କିଛି ସମୟ ପରେ ଘର ଲୋକ ଫେରି ଝିଅକୁ ରକ୍ତାକ୍ତ ଅବସ୍ଥାରେ ଦେଖି ତୁରନ୍ତ ସୋର ଡାକ୍ତରଖାନାକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଗତ ଦୁଇ ଦିନ ତଳେ ବାସୁଦେବପୁର ଅଞ୍ଚଳର ଜଣେ ଯୁବକ ହଇରାଣ କରୁଥିବା ନେଇ ଜ୍ୟୋତିର୍ମୟୀ ସୋର ଥାନାରେ ଅଭିଯୋଗ କରିଥିଲେ । ପ୍ରେମରେ ବିଫଳ ହେବାରୁ ଯୁବକ ଜଣଙ୍କ ଏହି ହତ୍ୟାକାଣ୍ଡ ଘଟାଇଥାଇ ପାରେ ବୋଲି ଅନୁମାନ କରାଯାଉଛି ।