- ଟ୍ରକ୍ ମାଲିକ ସଂଘର ସର୍ତ୍ତପୂରଣ ନେଇ ଆଲୋଚନା ସ୍ଥଗିତ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଟ୍ରକ୍ ମାଲିକ ସଂଘର ସର୍ତ୍ତ ପୂରଣ ନେଇ ଘମାଘୋଟ ଲଢେଇ ଓ ହଟ୍ଟଗୋଳ ଜୋର୍ଦାର୍ ହୋଇଛି । ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ବୁଧବାର ଅପରାହ୍ନରେ ଗଞ୍ଜାମ ଜିଲ୍ଲାର ଟ୍ରକ୍ ମାଲିକ ସଂଘ ମଧ୍ୟରେ ବିଚାରବିମର୍ଷତା ନେଇ ଏକ ଆଲୋଚନା ହୋଇଥିଲା । ବୈଠକ ବସିବା ପୂର୍ବରୁ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଟ୍ରକ୍ ଆସୋସିଏସନ୍ (ବ୍ରହ୍ମପୁର), ଗୋପାଳପୁର ଟ୍ରକ୍ ଆସୋସିଏସନ୍, ମା’ ଦକ୍ଷିଣକାଳୀ ଟ୍ରକ୍ ଆସୋସିଏସନ୍ଙ୍କୁ ପ୍ରଶାସନ ଚିଠି କରି ଡାକିଥିବା ବେଳେ ଗଞ୍ଜାମ ଜିଲ୍ଲା ମଲ୍ଟି-ଏକ୍ସସେଲ୍ ଟ୍ରକ୍ ଆସୋସିଏସନ୍କୁ ପ୍ରଶାସନ ବ୍ୟକ୍ତିଗତ ଭାବେ ଡାକିଥିବା ବେଳେ ତାଙ୍କ ତରଫରୁ ବିଦ୍ୟାଧର ସାହୁ, ବିକ୍ରମ କେଶରୀ ପଟ୍ଟନାୟକ ପ୍ରତିନିଧିତ୍ଵ କରିଥିଲେ । ସେମାନଙ୍କୁ ଦେଖିବା ମାତ୍ରେ ଅନ୍ୟ ତିନି ସଂଘର ଲୋକେ ଉତ୍ତ୍ୟକ୍ତ ହୋଇ ପ୍ରବଳ ହଟ୍ଟଗୋଳ କରିଥିଲେ । ଅଫିସ୍ କ୍ୟାମ୍ପସ ମଧ୍ୟରେ ବିକ୍ରମ କେଶରୀ ପଟ୍ଟନାୟକଙ୍କୁ ମୁଥ, ଗୋଇଠା ମାର୍ଧର୍ କରିଥିବା ଥାନାରେ ଅଭିଯୋଗ ହୋଇଛି । ଘମାଘୋଟ୍ ହୋ-ହାଲ୍ଲା ଓ ହଟ୍ଟଗୋଳ ପୂର୍ଣ୍ଣ ବିଶୃଙ୍ଖଳା ସୃଷ୍ଟି କରିଥିବା ନେଇ ଛତ୍ରପୁର ଥାନାରେ ୨ ଜଣଙ୍କୁ ପୋଲିସ ଅଟକ ରଖିଥିଲା । ଏଠାରେ ସୂଚନା ଯୋଗ୍ୟ ଯେ’ ଗୋପାଳପୁର ପୋର୍ଟ ଏବଂ ଆଇ.ଆର୍.ଇ.ଏଲ୍. କମ୍ପାନୀରେ ମାଲ ପରିବହନ, ମାଲ୍ ବୋଝେଇ କରିବା କ୍ଷେତ୍ରରେ ନିୟୋଜିତ କରିବା ନିମନ୍ତେ ଗଞ୍ଜାମ ଟ୍ରକ୍ ଆସୋସିଏସନ୍ (ବ୍ରହ୍ମପୁର), ଗୋପାଳପୁର ଟ୍ରକ୍ ଆସୋସିଏସନ୍, ମା’ ଦକ୍ଷିଣକାଳୀ ଟ୍ରକ୍ ଆସୋସିଏସନ୍ଙ୍କର ପ୍ରାୟତଃ ୧ ହଜାରରୁ ଅଧିକ ଟ୍ରକ୍ ଉକ୍ତ କମ୍ପାନୀରେ ନିୟୋଜିତ କରିବା ସାଂଗକୁ ସରକାରୀ ଦରରେ ମାଲ୍ ବୋଝେଇର ବହନ ଖର୍ଚ୍ଚ ଦେବା ନିମନ୍ତେ ସଂଘ ଦୀର୍ଘ ଦିନ ଧରି ଦାବୀ କରି ଆସୁଥିବା ବେଳେ ଏଯାବତ୍ ସର୍ତ୍ତ ପୂରଣ ହୋଇପାରୁନାହିଁ । ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ବେଳେ ଏନେଇ ବୈଠକ ବହୁ ଥର ସ୍ଥଗିତ ହୋଇଆସିଛି । ବୁଧବାର ପ୍ରଶାସନ ଡକାଇଥିବା ବୈଠକର ଆରମ୍ଭ ବେଳକୁ ଅନ୍ୟ ସଂଘର ଲୋକଙ୍କୁ ଅଫିସ୍ ପରିସରରେ ମାରପିଟ କରିବା, ଅଶୋଭନୀୟ ଭାଷା, ଗାଳି ଗୁଲଜ, ଘମାଘୋଟ ହୋ-ହାଲ୍ଲା ଓ ହଟ୍ଟଗୋଳ ପୂର୍ଣ୍ଣ ବିଶୃଙ୍ଖଳା ସୃଷ୍ଟି ହେବା ଏକ ଅଦ୍ଭାବନୀୟ ପରିସ୍ଥିତି ଉପୁଜିଥିଲା । ବୈଠକରେ ଉପସ୍ଥିତ ଥିବା ଏସ.ଡ଼ି.ପି.ଓ. ଗୌରହରି ସାହୁ ମାର୍-ପିଟ୍ରୁ ଶ୍ରୀ ପଟ୍ଟନାୟକଙ୍କୁ ଉଦ୍ଧାର କରିଥିଲେ । ଏହାକୁ ନେଇ ଯେଉଁ ବିଶୃଙ୍ଖଳା ସୃଷ୍ଟି ହେଲା, ଥାନା ପୋଲିସ ସଦଳବଳେ ଏହାକୁ ଆୟତ୍ତ କରାଯାଇଥିଲା । ବୈଠକରେ କୌଣସି ନିଷ୍ପତ୍ତି ହୋଇ ନପାରି ଆଗାମୀ ସୋମବାର ଦିନ ଏହାର ଫଇସଲା ହେବ ବୋଲି ପ୍ରଶାସନ କହିବା ପରେ ବୈଠକ ସ୍ଥଗିତ ରହିଲା । କିନ୍ତୁ ଅନ୍ୟ ଟ୍ରକ୍ ଆସୋସିଏସନ୍ କହିବା ପ୍ରକାରେ ସେମାନେ ଦିଗାମ୍ବର ଟ୍ରାନ୍ସପୋର୍ଟକୁ ଗୋପାଳପୁର କମ୍ପାନୀରେ ମାଲ୍ ବୋଝେଇ କାର୍ଯ୍ୟରେ ନିୟୋଜିତ କରିବାରେ ସେମାନେ ତୀବ୍ର ବିରୋଧ କରିଆସିଥିବା ଦେଖାଦେଇଛି । ପ୍ରବଳ ଘମାଘୋଟ ହଟ୍ଟଗୋଳ ରାତ୍ରି ୮ଟା ୩୦ ପର୍ଯ୍ୟନ୍ତ ଚାଲିଥିବା ଦେଖାଯାଇଥିଲା ।