- ବାରବନ୍ଧ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ତିଖାଲି ସଂରକ୍ଷିତ ଜଙ୍ଗଲରେ କିଛି ଦିନର ନୀରବତା ପରେ ପୁଣି ୧୩ ଟିକିଆ ହାତୀପଲଙ୍କ ଆତଙ୍କ ଦେଖିବାକୁ ମିଳିଛି । ସୋମବାର ରାତିରେ ଏହି ହାତୀପଲ ଗୁଡ଼ିଘାଟ ବିଟ୍ ବାରବନ୍ଧ ଗ୍ରାମର ସୁମନ ନାଏକ (୪୦)ନାମକ ଜଣେ ଚାଷୀଙ୍କ ଘର ଭାଙ୍ଗିଦେବା ସହ ୨୨ ବସ୍ତା ଅମଳ ଧାନ ଖାଇ ଦେଇଛନ୍ତି । ଚାଷୀଙ୍କ ଜମିରେ ଥିବା ଏକ ସୋଲାର ବୋରୱେଲ ଓ ସୋଲାର ପ୍ଲେଟକୁ ଭାଙ୍ଗି ଦେଇଥିବା ବେଳେ ସେଠାରେ ରଖାଯାଇଥିବା ୟୁରିଆ ସାରକୁ ମଧ୍ୟ ହାତୀ ଖାଇ ଦେଇଥିବା ଚାଷୀ ଅଭିଯୋଗ କରିଛନ୍ତି । ହାତୀମାନେ ଚାଷୀଙ୍କ ରବି ଋତୁର ଧାନ ରୁଆକୁ ନଷ୍ଟ କରିଦେବା ସହ ବ୍ୟାପକ ପନିପରିବା ଫସଲ ମଧ୍ୟ ନଷ୍ଟ କରିଦେଇଛନ୍ତି । ବାରବନ୍ଧ ଗ୍ରାମର ଅନ୍ୟ ଚାଷୀମାନଙ୍କ ଫସଲ ମଧ୍ୟ ନଷ୍ଟ କରିଦେଇଛନ୍ତି । ତାଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାକୁ ଚାଷୀ ସୁମନ ପ୍ରଶାସନକୁ ଅନୁରୋଧ କରିଛନ୍ତି । ଏ ସମ୍ପର୍କରେ ମୁରିବାହାଲ ବନାଞ୍ଚଳ ଅଧିକାରୀ ଶିବ ପ୍ରସାଦ ନାଏକଙ୍କୁ ପଚାରିବାରୁ ୧୩ ଟିକିଆ ହାତୀପଲ ଗତରାତିରେ ବାରବନ୍ଧ ଗ୍ରାମର ଜଣେ ଚାଷୀଙ୍କ କ୍ଷୟକ୍ଷତି କରିଥିବା ଜଣାପଡିଛି । ଏହାପରେ ହାତୀପଲ ମଙ୍ଗଳବାର ସନ୍ଧ୍ୟାରେ ବିଜାମାଲ ଗ୍ରାମର ଜଙ୍ଗଲ ଅଞ୍ଚଳରେ ଥିବା ଓ ଜଙ୍ଗଲ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି । ହାତୀପଲ ଉପରେ ଜଙ୍ଗଲ ବିଭାଗ, ହାତୀ ସ୍କ୍ୱାର୍ଡ ଓ ଆଇପିବି ସ୍କ୍ୱାର୍ଡ ନୀରିକ୍ଷଣ କରୁଥିବା ଜଣାପଡିଛି ।