ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର – ବରଗଡ ଜାତୀୟ ରାଜପଥର ଛତାମଖନା ଛକ ନିକଟରେ ଗତରାତିରେ ଏକ ଅଜଣା ଗାଡି ଧକ୍କାରେ ଜଣେ ସାଇକେଲ୍ ଆରୋହୀ ଜାମସର୍ ଗାଁର ବିଶ୍ୱବିହାରୀ ବଗର୍ତ୍ତି(୪୦)ଙ୍କ ମୃତ୍ୟୁ ଘଟିଥିବା ବେଳେ ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ । ତେବେ ବଲାଙ୍ଗିର ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ରେଡ୍କ୍ରସ୍ ପାଣ୍ଠିରୁ ୨୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କରିବା ପରେ ରାସ୍ତାରୋକ ହଟିଥିଲା । ସାଇକେଲ୍ ଆରୋହୀ ଶଙ୍କରଭୋଜରୁ ନିଜ ଗାଁ ଜାମସର୍କୁ ଫେରିବା ବେଳେ ଛତାମଖନା ଛକ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ସାଇକେଲ ଆରୋହୀ ବିଶ୍ୱବିହାରୀଙ୍କୁ ଧକ୍କା ଦେଇ ଫେରାର୍ ମାରିଥିବା ଗାଡ଼ିକୁ ଠାବ କରିବା ପାଇଁ ତନାଘନା ତଦନ୍ତ ଆରମ୍ଭ କରିଛି ପୋଲିସ । ସାଇକେଲ୍ ଆରୋହୀଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରି ଟାୟାର୍ ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ରାସ୍ତାରୋକ ଯୋଗୁଁ ଯାନବାହନ ଯାତାୟାତ ପ୍ରଭାବିତ ହେବା ସହ ରାସ୍ତାର ଉଭୟ ପଟରେ ବହୁ ସଂଖ୍ୟକ ଗାଡିମଟର ଅଟକି ରହିଥିଲା । ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଏବଂ ଜାତୀୟ ରାଜପଥରେ ଟ୍ରାଫିକ ସୁରକ୍ଷା ପାଇଁ କଡା ପଦକ୍ଷେପ ଗ୍ରହଣ କରିବାକୁ ଲୋକେ ଦାବି କରି ରାସ୍ତାରୋକ ଜାରି କରିଥିଲେ । ତେବେ ପୋଲିସ ସହ ଉପଜିଲ୍ଲାପାଳ ପହଂଚି ସହାୟତା ରାଶି ଘୋଷଣା ପରେ ରାସ୍ତାରୋକ ହଟିଥିବା କୁହାଯାଇଛି ।