ppurohit

ବସ ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ ଘଟଣା : ୧୪ଘଣ୍ଟା ପରେ ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ରାସ୍ତା ରୋକ

2nd

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ ୨୬ ନମ୍ବର ଲାନ୍‌ଥ୍‌ ନଦୀ ନିକଟରେ ଆଜି ସକାଳୁ ଭୁବନେଶ୍ୱରରୁ ଭବାନୀପାଟଣା ଅଭିମୁଖେ ଆସୁଥିବା ସରକାରୀ ବସ ଗାଡି ନମ୍ବର ଓଡ଼ି୦୮ଜି୭୦୫୧ ଧକ୍କାରେ ଘଟଣା ସ୍ଥଲରେ ଶିକ୍ଷକ ମୃତ୍ୟୁ ହୋଇଥିଲା । ତେବେ ୧୪ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ ହେବା ଫଳରେ ଗାଡି ଚଳାଚଳ ବନ୍ଦ ହୋଇଥିଲା । ଶେଷରେ ବାଧ୍ୟ ହୋଇ ପ୍ରଶାସନ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଥିଲା । ସୂଚନା ମତେ ତରାସିଂହା ଗ୍ରାମର ଲବ ବେହେରା ତାଙ୍କ ଗ୍ରାମରୁ ସକାଳୁ ଉଠି ପାଟଣାଗଡ଼ ଆଦର୍ଶ ବିଦ୍ୟାଳୟକୁ ଯାଉଥିବା ବେଳେ ହଠାତ ଦ୍ରୁତ ଗତିରେ ଆସୁଥିବା ବସ ଗାଡି ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଖବର ପାଇବା ପରେ ପରିବାର ପକ୍ଷରୁ ଘଟଣା ସ୍ଥଲରେ ପହଞ୍ଚି ଶବକୁ ଉଦ୍ଧାର କରି ସଇଁନ୍ତଲା ଡାକ୍ତରଖାନାକୁ ନେଇଥିବା ବେଳେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ପରେ ପରିବାର ଲୋକେ ବରଗଡ଼-ବୋରିଗୁମା ଜାତୀୟ ରାଜପଥ ୨୬କୁ ୧୪ ଘଣ୍ଟା ଧରି କ୍ଷତିପୂରଣ ଦାବୀ ପରିବାର ପକ୍ଷରୁ ଅବରୋଧ କରିଥିଲେ । ତେବେ ଖବର ପାଇବା ପରେ ଘଟଣା ସ୍ଥଳରେ ସଇଁନ୍ତଲା ଥାନା ଅଧିକାରୀ ବାରିଣୀ ଦାସ, ବଡ଼ମାଲ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁ, ମାଜିଷ୍ଟ୍ରେଟ ଭାବରେ ତହସିଲଦାର ସୁମନ କିଶୋର ଡୁଙ୍ଗ ଡୁଙ୍ଗ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ । ହେଲେ ପରିବାର ଲୋକେ ବୁଝିବା ପାଇଁ ନାରାଜ ହୋଇଥିଲେ । ଅନ୍ୟପଟେ ଜାତୀୟ ରାଜପଥ ଅବରୋଧ ହେବା ଫଳରେ ଗାଡି ଚଳାଚଳ ଦୀର୍ଘ ଘଣ୍ଟା ଧରି ଠପ ହୋଇଥିଲା । ତେବେ ଶେଷରେ ବାଧ୍ୟ ହୋଇ ଟିଟିଲାଗଡ଼ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥି ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ପରିବାର ଲୋକେ ଜିଦ୍‌ ଧରିଥିଲେ ଯେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପରିବାର ଜଣଙ୍କୁ ଚାକିରୀ ଦିଆଯାଉ । ଶେଷରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ପ୍ରତ୍ୟହୃତ ହୋଇଥିଲା ।

Leave A Reply

Your email address will not be published.