ହାତୀ ଆକ୍ରମଣରେ ମୃତ ପାରାଗାର୍ଡଙ୍କ ଶୋକସନ୍ତପ୍ତ ପରିବାରଙ୍କୁ ଭେଟିଲେ କଣ୍ଟାବାଞ୍ଜି ବିଧାୟକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଜଏଁତରା ସେକ୍ସନ ଗୋବିନ୍ଦପୁର ତିଖାଲୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ୩୫ଟିକିଆ ହାତୀପଲ ଥିବା ବେଳେ ଗତ ମଙ୍ଗଳବାର ଏକ ଦନ୍ତା ହାତୀ ଘୁଷୁରାମୁଣ୍ଡା ଗ୍ରାମର ପାରାଗାର୍ଡ ଓଙ୍କାରୀ ବାଗ(୩୫)ଙ୍କୁ ଆକ୍ରମଣ କରିବାରୁ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା । ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ମୃତ ଓଙ୍କାରୀ ବାଗଙ୍କ ଶୋକସନ୍ତପ୍ତ ପରିବାରକୁ ସୋମବାର କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଭେଟି ସମବେଦନା ଜଣାଇଥିଲେ । ମୃତକଙ୍କ ଦୁଇ ଛୋଟଛୋଟ ଛୁଆ ଏବଂ ତାଙ୍କ ସ୍ତ୍ରୀଙ୍କୁ ସରକାରଙ୍କ ସମସ୍ତ ପ୍ରକାରର ଯୋଜନା ବାବଦ ସହାୟତା ଯୋଗାଇ ଦିଆଯିବ ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ । ଏହି ସମୟରେ ଯୁବ ବିଜେପି ନେତା ଦେବବ୍ରତ ଥନାପତି, କିଶୋର ଘିଭେଲା ପ୍ରମୁଖ ଉପସ୍ଥିତ ଥିଲେ ।ସୂଚନା ଥାଉକି ମୃତ ଓଙ୍କାରୀଙ୍କ ପାଟଣାଗଡ଼ ମେଡ଼ିକାଲରେ ଶବ ବ୍ୟବଚ୍ଛେଦ ପରେ ବୁଧବାର ମୃତଦେହ ଗାଁକୁ ପହଞ୍ଚିଥିଲା । ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଓ ପରିବାରର ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦାବୀରେ ମୃତଦେହ ରଖି ପରିବାର ଓ ଗ୍ରାମବାସୀ ମୁରିବାହାଲ-ଟିକ୍ରାପଡ଼ା ମୁଖ୍ୟରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରି ରଖିଥିଲେ । ବନ ବିଭାଗ ପକ୍ଷରୁ ତାଙ୍କ ପରିବାରକୁ ୬ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ, ତାଙ୍କ ପତ୍ନୀଙ୍କୁ ନର୍ସରୀରେ ୱାଚର ରୂପେ ନିଯୁକ୍ତି, ସମସ୍ତ ସରକାରୀ ସୁବିଧା ସୁଯୋଗ ପ୍ରଦାନ, ଯାହା ପେନସନ ସୁବିଧା ଅଛି ଦିଆଯିବା ତଥା ଦୁଇ ସନ୍ତାନଙ୍କୁ ଆଦର୍ଶ ବିଦ୍ୟାଳୟରେ ପାଠ ପଢିବା ପାଇଁ ସହଯୋଗ କରିବା ନେଇ ଲିଖିତ ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତା ଅବରୋଧ ହଟିଥିଲା । ମୁରିବାହାଲ ରେଞ୍ଜ ତଥା ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ସମ୍ପୂର୍ଣ୍ଣ ସହାୟତା ଯୋଗାଇ ଦେବାକୁ ପରିବାର ତଥା ଗ୍ରାମବାସୀ ବିଧାୟକଙ୍କ ନିକଟରେ ଦାବୀ କରିଥିଲେ ।

Leave A Reply

Your email address will not be published.