centurian jitm

ଲୋଇସିଂହା କେନ୍ଦ୍ର ସମବାୟ ବ୍ୟାଙ୍କରେ ହିତାଧିକାରୀ ହେଉଛନ୍ତି ହଟହଟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଲୋଇସିଂହା ସ୍ଥିତ କେନ୍ଦ୍ର ସମବାୟ ବ୍ୟାଙ୍କର ବିଚିତ୍ର ନୀତି ଯୋଗୁ ହିତାଧିକାରୀ ହଟହଟା ହେଉଥିବା ଅଭିଯୋଗ ହୋଇଛି । ଚାଷୀ ତଥା ହିତାଧିକାରୀମାନେ ବ୍ୟାଙ୍କର ଜମା ଟଙ୍କା ଉଠାଇବା ପାଇଁ ଗଲେ ପ୍ରଥମେ ଋଣ ସୁଝ, ତାପରେ ଟଙ୍କା ଉଠାଣ କରି ପାରିବ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ କହୁଛନ୍ତି । ଋଣ ଖିଲାପ ନ କରି ମଧ୍ୟ ହିତାଧିକାରୀ ସମସ୍ୟାରେ ପଡ଼ୁଛନ୍ତି । ଏହାକୁ ନେଇ ହିତାଧିକାରୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ଲୋଇସିଂହା ବ୍ଲକ ବାଦିବାହାଲ ପଞ୍ଚାୟତ ଅଗଲାପାଲି ଗ୍ରାମର ଚାଷି ରଘୁନାଥ ମହାକୁର ଯୋଗୀସର୍ଡା ପ୍ରାଥମିକ କୃଷି ସମବାୟ ସମିତିର ଜଣେ ନିୟମିତ ଋଣୀଚାଷୀ । ଚଳିତ ବର୍ଷ ଖରିଫ ଋତୁରେ ରଘୁନାଥ ପେକ୍ସରେ ଧାନବିକ୍ରି କରିବା ପରେ ଲୋଇସିଂହା କେନ୍ଦ୍ର ସମବାୟ ବ୍ୟାଙ୍କ ଜମା ଖାତାରେ ଧାନବିକ୍ରି ବାବଦକୁ ୧ ଲକ୍ଷ ୧୩ ହଜାର ଟଙ୍କା ଜମା ହୋଇଥିଲା । ଗୁରୁବାର ଧାନବିକ୍ରି ଜମା ଟଙ୍କାରୁ ୫୦ ହଜାର ଟଙ୍କା ଉଠାଣ ପାଇଁ ରଘୁନାଥ ବ୍ୟାଙ୍କକୁ ଯାଇଥିଲେ । ତେବେ ଉଠାଣ ଫର୍ମ ଇନିସିଆଲ ପାଇଁ ମ୍ୟାନେଜରଙ୍କ ପାଖକୁ ଯିବା ପରେ ମ୍ୟାନେଜର ତାଙ୍କୁ ଡାକି ଋଣ ବାବଦକୁ ୨୦ ହଜାର ଟଙ୍କା ସୁଝିବାକୁ କହିଥିଲେ । ତେବେ ଚାଷୀ ତଥା ହିତାଧିକାରୀ ରଘୁନାଥ ଋଣ ଖିଲାପି ନଥିବା ଏବଂ ନିୟମିତ ଋଣ ପରିଶୋଧ କରୁଥିବା କହିଥିଲେ ବି ଟଙ୍କା ଦେବାରେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଅମଙ୍ଗ ପ୍ରକାଶ କରିଥିଲେ । ଏନେଇ ରଘୁନାଥ ପେକ୍ସ ସମ୍ପାଦକଙ୍କୁ ଜଣାଇଥିଲେ ସୁଦ୍ଧା ସେ ମଧ୍ୟ ନିଜର ଅସହାୟତା ପ୍ରକାଶ କରିଥିବା ଚାଷୀ ରଘୁନାଥ କହିଛନ୍ତି । ପାରିବାରିକ ସମସ୍ୟା ଥିବାବେଳେ ଆବଶ୍ୟକ ସମୟରେ ବ୍ୟାଙ୍କ ଜମା ଟଙ୍କା ଦେଉ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି । କେବଳ ରଘୁନାଥ ନୁହେଁ, ସମବାୟ ବ୍ୟାଙ୍କରେ ଅନେକ ଚାଷୀଙ୍କୁ ରୀତିମତ ହଇରାଣ ହରକତ କରାଯାଉଥିବା ଅଭିଯୋଗ ହେଉଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଆବଶ୍ୟକ ଦୃଷ୍ଟି ଦେଉ ନ ଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ।

Leave A Reply

Your email address will not be published.