ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀରେ ପ୍ରବଳ ଜନସମାଗମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱରର ୟୁନିଟ୍‌-୩ ସ୍ଥିତ ଇଡ଼୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ହସ୍ତଶିଳ୍ପ ପ୍ରଦର୍ଶନୀରେ ଗତକାଲି ଚତୁର୍ଥ ଦିବସରେ ହସ୍ତଶିଳ୍ପ କ୍ରୟ ପାଇଁ ଲୋକମାନଙ୍କର ଆଗ୍ରହ ବଢ଼ିଥିବା ପରିଲକ୍ଷିତ ହେଉଛି । ଏହି ପ୍ରଦର୍ଶନୀରେ ବିଶେଷ ଭାବରେ ଆୟୋଜିତ ପୁରସ୍କାରପ୍ରାପ୍ତ ହସ୍ତିଶିଳ୍ପ ଗ୍ୟାଲେରୀ ଦର୍ଶକମାନଙ୍କ ଆକର୍ଷର କେନ୍ଦ୍ରବିନ୍ଦୁ ପାଲଟିଛି । ଜାତୀୟ ଓ ରାଜ୍ୟସ୍ତରରେ ପୁରସ୍କୃତ ହସ୍ତଶିଳ୍ପ କାରିଗରମାନେ ୧୦ଟି ସ୍ୱତନ୍ତ୍ର ଷ୍ଟଲ୍‌ରେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶନ କରିଛନ୍ତି ।

ଏତଦ୍‌ବ୍ୟତୀତ ଓଡ଼ିଶାରୁ ଲୁପ୍ତପ୍ରାୟ ହସ୍ତଶିଳ୍ପ ସାମଗ୍ରୀଗୁଡ଼ିକ ୧୧ଟି ସ୍ୱତନ୍ତ୍ର ଷ୍ଟଲ୍‌ମାନଙ୍କରେ ସ୍ଥାନ ପାଇଛି । ଏହି ପ୍ରଦର୍ଶନୀରେ ରାଜ୍ୟର ୧୯ଟି ଜିଲ୍ଲାରୁ ହସ୍ତଶିଳ୍ପ ଗାରିଗରମାନେ ଅଂଶଗ୍ରହଣ କରୁଛନ୍ତି ଓ ହସ୍ତଶିଳ୍ପ ଅନ୍ତର୍ଗତ ୨୬ ପ୍ରକାରର ଆକର୍ଷଣୀୟ ସାମଗ୍ରୀ ପଦର୍ଶିତ ତଥା ବିକ୍ରୟ ବ୍ୟବସ୍ଥା କରାଯାଇଛି, ଯାହା ଫଳରେ ଦର୍ଶକମାନଙ୍କର ଆଗ୍ରହ ବୃଦ୍ଧି ପାଇଛି ।

ପ୍ରଦର୍ଶନୀରେ ନଡ଼ାରେ ତିଆରି ବିଭିନ୍ନ ଘର ସଜେଇବା ସାମଗ୍ରୀ, ନଡ଼ାର ଆକର୍ଷଣୀୟ କୃତିକୁ ଫଟୋ ଫ୍ରେମ ମଧ୍ୟରେ ବିଭିନ୍ଦ ଦେବଦେବୀ, ସୁନ୍ଦର ବୃକ୍ଷ, ହାତୀ, ଫୁଲ ଇତ୍ୟାଦି ଷ୍ଟଲ୍‌ରେ ବିକ୍ରୟ ହେଉଛି । ସେହିପରି ପିପିଲି ଚାନ୍ଦୁଆ କାମର ବ୍ୟାଗ, ଘର ସଜେଇବା ଜିନିଷ, ଡୋକ୍ରା କାଷ୍ଟିଂର ଦୀପରୁଖା, ପଶୁପକ୍ଷୀ, କଇଁଛ, ମହମବତୀ ଷ୍ଟାଣ୍ଡ, ଦେବଦେବୀଙ୍କର ମୂର୍ତ୍ତି ଇତ୍ୟାଦି ଖୁବ୍‌ ମନଲୋଭା ହୋଇଛି । ଫୁଲଦାନୀ, ବେଲଣାପିଢ଼ା, ଅଳଙ୍କାର ବାକ୍ସ, ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଆଦି କାଠଶିଳ୍ପର ବିଭିନ୍ନ ସାମଗ୍ରୀ ସହ ଶିଙ୍ଗ ତିଆରି ପାନିଆ, ବଗ, ପେନ୍‌ଷ୍ଟାଣ୍ଡ, ମହମବତୀ ଷ୍ଟାଣ୍ଡ ଆଦି ଦର୍ଶକମାନଙ୍କୁ ଆକୃଷ୍ଟ କରୁଛି । ଧାନ ଓ ନଡ଼ାରେ ତିଆରି ହସ୍ତିଶିଳ୍ପ ସାମଗ୍ରୀଗୁଡ଼ିକ ବେଶ୍‌ ଆଦୃତ ହେଉଛି । ଟେରାକୋଟା ଓ କଂସା ବାସନ ସାମଗ୍ରୀଗୁଡ଼ିକ ମଧ୍ୟ ଖୁବ୍‌ ବିକ୍ରି ହେଉଛି ।

ଏହି ପ୍ରଦର୍ଶନୀରେ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତ ଶିଳ୍ପ ବିଭାଗ ତରଫରୁ ୨୪ ତାରିଖ ଦିନ ଉଦ୍‌ଘାଟିତ ହୋଇଛି ଓ ଏଥିରେ ୧୧୧ଟି ଷ୍ଟଲ୍‌ ନିର୍ମାଣ କରାଯାଇଛି । ପ୍ରଦର୍ଶନୀରେ କୋଭିଡ଼୍‌ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି । ସୂଚନା ଅଧିକାରୀ ଡ. ଜ୍ୟୋତିର୍ମତୀ ସାମନ୍ତରାୟ ଏହି ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.