ହସପିଟାଲରୁ ନରସିଂହଙ୍କ ବାର୍ତ୍ତା : ସୁସ୍ଥ ଅଛି ମୁଁ, ଆପଣ ମାନେ ସାମାଜିକ ଦୂରତା ପାଳନ କରନ୍ତୁ, ଡବଲ ମାସ୍କ ପରିଧାନ କରନ୍ତୁ
- ବାଲାଙ୍ଗିରବାସୀଙ୍କ ପିଇବା ପାଣି ସମସ୍ୟା ଶୀଘ୍ର ସମାଧାନ ହେବ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ମୁଁ ସୁସ୍ଥ ଅଛି । ଏହି ମହାମାରୀ ସମୟରେ ଆପଣମାନେ ସମାଜିକ ଦୂରତା ପାଳନ କରିବା ସହ ଡବଲ ମାସ୍କ ପରିଧାନ କରନ୍ତୁ । ବାରମ୍ବାର ସାବୁନରେ ହାତ ଧୁଅନ୍ତୁ । ସେନିଟାଇଜର ବ୍ୟବହାର କରିବା ସହ ଯଥା ସମ୍ଭବ ଘରେ ରୁହନ୍ତୁ । ଅତି ଜରୁରି ନ ହେଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ ବୋଲି ଆଜି ଭୂବନେଶ୍ୱର ସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିରବାସୀଙ୍କୁ ଗଣ ମାଧୟମ ଜରିଆରେ ବାର୍ତ୍ତା ଦେଇଛନ୍ତି । ସେ ଏହି ବାର୍ତ୍ତାରେ କହିଛନ୍ତି ଯେ, ମୁଁ କରୋନା ସଂକ୍ରମିତ ହେବା ସତ୍ୱେ ମଧ୍ୟ ମୋର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଡାକ୍ତରଙ୍କ କହିବା ଅନୁଯାୟୀ କୌଣସି ପ୍ରକାର କରୋନା ଜନିତ ସ୍ୱାସ୍ତ୍ୟ ସମସ୍ୟା ନାହିଁ । କିନ୍ତୁ କରୋନାର ଦ୍ୱିତୀୟ ଲହର ବହୁତ ମାରତ୍ମାକ ଅଟେ । ତେଣୁ ଆପଣମାନେ ଏହି ଘଡି ସନ୍ଧି ମୁହୁର୍ତ୍ତରେ ବିବ୍ରତ ନହୋଇ ନିଜ ତଥା ପରିବାରର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଦୃଷ୍ଟି ଦିଅନ୍ତୁ । ଘରେ ଥିବା ବୟସ୍କ ଓ ଶିଶୁଙ୍କ ସ୍ୱତନ୍ତ୍ର ଯତ୍ନ ନିଅନ୍ତୁ । ଜିଲ୍ଲା ପ୍ରଶାସନ ଦ୍ୱାରା ଲାଗୁ କରାଯାଇଥିବା କଟକଣାକୁ ଠିକ ହିସାବରେ ପାଳନ କରି କରୋନା ବିରୁଦ୍ଧରେ ଲଢେଇରେ ନିଜେ ଦୃଢତାର ସହ ସହେଯାଗ କରନ୍ତୁ । ସହରର କିଛି ଅଂଚଳର ପିଇିବା ପାଣି ସମସ୍ୟା ଥିବା ମୋର ନଜରକୁ ଆସିଛି, ଭୂବନେଶ୍ୱରରେ ଥାଇ ମୁଁ ଅଧିକାରୀଙ୍କ ସହ କଥା ହୋଇଛି । ସହରର ପିଇବା ପାଣିର ସମସ୍ୟାର ଶୀଘ୍ର ସମାଧାନ କରାଯିବ । ଏନେଇ ଅଧିକାରୀମାନେ ପ୍ରତିଶୃତି ଦେଇଥିବା ବେଳେ କିଛି ଅଂଚଳରେ କାମ ଆରମ୍ଭ ହୋଇ ସାରିଛି । ସହରବାସୀ ଖୁବ ଶୀଘ୍ର ପର୍ୟ୍ୟାପ୍ତ ପିଇବା ପାଣି ପାଇ ପାରିବେ ।