jayashree

ଦୁଇ ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଇଲା ଓଡିଶା ମୋ ପରିବାର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦିବ୍ୟାଙ୍ଗ ହେଲେ ମଧ୍ୟ ହାରି ନାହିଁ ତାଙ୍କ ମନୋବଳ, ଯୁବାବସ୍ଥାରେ ଗୋଡ଼ ହରାଇଥିଲେ ମଧ୍ୟ ପରିବାର ମୁହଁରେ ଆହାର ଯୋଗାଇବା ପାଇଁ ଅନେକ ପରିଶ୍ରମ କରୁଛନ୍ତି ସେ । ତାଙ୍କ କରୁଣ କାହାଣୀ ସମ୍ପର୍କରେ ଜାଣିବା ପରେ ସହାୟ ହେଲା ଓଡ଼ିଶା ମୋ ପରିବାର । ସ୍ଵାବଲମ୍ବୀ ହେବାକୁ ଯୋଗାଇ ଦେଲା କୃତ୍ରିମ ଗୋଡ଼ । ଏ ହେଉଛି ଜଣେ ଗରିବ ଘରେ ଜନ୍ମିତ, ଛୋଟ ବେଳୁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିବା ୨୪ ବର୍ଷିୟ ଯୁବକ ବାସୁଦେବ ଶବରଙ୍କ କାହାଣୀ । ଘର ଗଜପତି ଜିଲ୍ଲା ଅନନ୍ତପୁର ଗ୍ରାମରେ, ଛୋଟ ବେଳୁ ଅଭାବ ଅନାଟନରେ ଦିନ କଟୁଥିଲା ବାସୁଦେବଙ୍କର, ବାପା ଓ ମା’ ଦୁହେଁ ମୂଲ ଲାଗି ଘର ଚଳାଉଥିଲେ, ସେଥିରେ ପୁଣି ଦଣ୍ଡେ ଖାଇ ଦଣ୍ଡେ ଉପାସ ରହୁଥିଲେ । ଏହି ପରିସ୍ଥିତିକୁ ସୁଧାରିବାକୁ ଚେଷ୍ଟା କଲା ବେଳକୁ ଭଗବାନ ବାସୁଦେବଙ୍କଠାରୁ ତାଙ୍କ ଗୋଡ଼ ଛଡେଇ ନେଲେ । ସେ ଅର୍ଥ ଉପାର୍ଜନ କରିବା ପାଇଁ ଦୂର ଦେଶକୁ ଯାଉଥିବା ସମୟରେ ଚଳନ୍ତା ଟ୍ରେନରୁ ଖସି ପଡ଼ିଥିଲେ, ଯାହା ଫଳରେ ତାଙ୍କ ବାମ ଗୋଡ଼ କଟାଯାଇଥିଲା । ଗୋଟିଏ ଗୋଡ଼ରେ ନିଜ ଦୈନନ୍ଦିନ କାମ କରିବାକୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ ଏବଂ ଏପଟେ ଘରର ପରିସ୍ଥିତି ସମୟକ୍ରମେ ଜଟିଳ ହୋଇ ଚାଲିଥିଲା । ସବୁ ପରେ ବି, ନିଜେ କିଛି କାମ କରି ପରିବାର ଚଳାଇବାକୁ ଉଦ୍ୟମ ଜାରି ରଖିଥିଲେ । ଏହି ଘଟଣା ସମ୍ପର୍କରେ ଯୁବ ସମାଜସେବୀ (ବିଜୁ ଜନତା ଦଳ) ଅଶ୍ଵିନୀ ସେଠୀ ଜାଣିବା ପରେ ବିଜୁ ଜନତା ଦଳ ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟ(ଓଡ଼ିଶା-ମୋ ପରିବାର)ଙ୍କୁ ଖବର ଦେଇଥିଲେ । ଠିକ୍ ସେହିପରି, ଯାଜପୁର ଜିଲ୍ଲା ସୁଙ୍ଗୁଡ଼ା ଗ୍ରାମର ୫୦ବର୍ଷିୟ ବ୍ୟକ୍ତି ଗୋଲକ ଚନ୍ଦ୍ର ସାହାଣୀ ମଧ୍ୟ ୧୦ ବର୍ଷ ତଳେ ଏକ ଦୁର୍ଘଟଣାର ଶିକାର ହୋଇ ନିଜ ବାମ ହାତ ହରାଇ ଥିଲେ । ବଡ଼ଚଣା ବିଧାୟକ ଅମର ଶତପଥି ଘଟଣା ସମ୍ପର୍କରେ ଜାଣିବା ପରେ ସଙ୍ଗେସଙ୍ଗେ ଓଡ଼ିଶା-ମୋ ପରିବାରକୁ ଖବର ଦେଇଥିଲେ । ଉଭୟଙ୍କର କରୁଣ କାହାଣୀ ସମ୍ପର୍କରେ ଶ୍ରୀ ସାମନ୍ତରାୟ ସୂଚନା ପାଇବା ପରେ ତୁରନ୍ତ ପଦକ୍ଷେପ ନେଇଥିଲେ । କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ସମନ୍ଵୟ ରକ୍ଷା କରି ଆଜି ଦୁହିଁକୁ କୃତ୍ରିମ ଗୋଡ଼ ଏବଂ ହାତ ଯୋଗାଇ ଦିଆଯାଇଛି । ଏହି ସମୟରେ ଓଡ଼ିଶା-ମୋ ପରିବାର ଆବାହକଙ୍କ ସମେତ ବଡ଼ଚଣା ବିଧାୟକ ଅମର ଶତପଥି, ବିଜୁ ଜନତା ଦଳ ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟ(ଓଡ଼ିଶା-ମୋ ପରିବାର)ଏବଂ ସ୍ୱାସ୍ଥ୍ୟ ଉପଦେଷ୍ଟା ଡ଼ଃ ସତ୍ୟଜିତ୍ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । କୃତ୍ରିମ ଅଙ୍ଗ ଲାଗିବା ପରେ ଉଭୟଙ୍କ ମୁହଁରେ ହସ ଖେଳିଯାଇଥିଲା ।

Leave A Reply

Your email address will not be published.