ହରିଶଙ୍କର ଠାରେ ଯୁବ କୈବର୍ତ୍ତ ସମାଜର ପ୍ରଥମ ସମ୍ମିଳନୀ ଅନୁଷ୍ଠିତ

ଖପ୍ରାଖୋଲ, (ଅଶୋକ ବାଗ) : ରବିବାର ହରିଶଙ୍କର ଠାରେ ଯୁବ କୈବର୍ତ୍ତ ସମାଜ ବଲାଙ୍ଗିରର ପ୍ରଥମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ମାଁ ଅଶ୍ୱିନୀ ବାସେଲୀ ସମଲେଶ୍ୱରୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଦେବୀ ବନ୍ଦନା ଗାନ ପରେ ଜାତି ସଂଗୀତ ଗାନ କରାଯାଇଥିଲା । ସମସ୍ତ ଅତିଥିଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରି ଉପଢୌକନ ଦିଆଯାଇଥିଲା । ପାଟଣାଗଡ ସବଡ଼ିଭିଜନ କୈବର୍ତ୍ତ ସମାଜର ସଭାପତି ହଳଧର ସେଠ ସଭାପତିତ୍ୱ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଖପ୍ରାଖୋଲ ବ୍ଲକ କୈବର୍ତ୍ତ ସମାଜର ସଭାପତି ବୋଧବନ୍ଧୁ ନାଏକ, ଉପସଭାପତି ପଟୁଆରୀ ନାଏକ, ସମ୍ପାଦକ ନାରାୟଣ ସେଠ୍, ନାରୀ କୈବର୍ତ୍ତ ସମାଜର ସମ୍ପାଦିକା ଲକ୍ଷ୍ମୀ ମୁଦୁଲି, ମୁଖ୍ୟ ବକ୍ତା ଭାବେ ନାରାୟଣ ଦଣ୍ଡସେନା ଯୋଗଦାନ କରି ଯୁବ କୈବର୍ତ୍ତ ଭାଇ ଭଉଣୀ ମାନେ ସମାଜ କାମରେ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ । ପାଟଣାଗଡ଼ ବ୍ଲକ କୈବର୍ତ୍ତ ସମାଜର ସଭାପତି ତ୍ରିଲୋଚନ ମାଝୀ ଏବଂ ମୁରିବାହାଲ ବ୍ଲକ ସମ୍ପାଦକ ଥବିର ସା ମଧ୍ୟ କୈବର୍ତ୍ତ ସମାଜ ଉପରେ ନିଜ ନିଜ ଅଭିଭାଷଣ ରଖିଥିଲେ । ଅବସରପ୍ରାପ୍ତ ଫିଶେରୀ ଅଫିସର ଦାମୋଦର ନାଏକ କୈବର୍ତ୍ତମାନଙ୍କ ପାଇଁ ସରକାର ଦେଉଥିବା ମାଟ୍ରିକ ପରବର୍ତୀ ସେ୍‌ସ୍କାଲାର୍‌ସିପ୍‌ ସହାୟତା ରାଶିର ଫାଇଦା ଉଠାଇ ପାଠ ପଢ଼ାରେ ବିନିଯୋଗ କରିବା ପାଇଁ କହିଥିବା ବେଳେ ସୁପ୍ରଭାତ ମଲ୍ଲିକ ଉପାନ୍ତ ଅଂଚଳରୁ ବଲାଙ୍ଗିର ସହରକୁ ବିଭିନ୍ନ କାମରେ ଆସୁଥିବା କୈବର୍ତ୍ତ ଭାଇ ଭଉଣୀଙ୍କୁ ଯେ କୌଣସି ଅସୁବିଧା ହେଲେ ବଲାଙ୍ଗିରର ସହରରେ ରହୁଥିବା କୈବର୍ତ୍ତ ଭାଇ ଭଉଣୀଙ୍କ ସହାୟତା ନେବା ପାଇଁ କହିଥିଲେ । ସମାଜ ହିତରେ ଯୁବ ଗୋଷ୍ଠୀ ଆଗେଇ ଆସିଲେ ସମାଜର ଉନ୍ନତିରେ ସହାୟକ ହେବ ବୋଲି ଅତିଥିମାନେ ମତାମତ ଦେଇଥିଲେ । ସମାଜର ଦେବୀ କିଏ, ସମାଜଟିଏ ଥିଲେ କି କି ମଙ୍ଗଳ ହୁଏ, ଗୋତ୍ର କଣ ଇତ୍ୟାଦି ଉପରେ ଆଲୋଚନା ହୋଇଥିଲା । ବଲାଙ୍ଗିର ଜିଲ୍ଲାର ସମସ୍ତ ୧୪ ଟି ବ୍ଲକର ଯୁବ ଗୋଷ୍ଠୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଆହ୍‌ହ୍ୱାନ ଦେଇଥିଲେ । ସମାଜର ଯୁବ ଗୋଷ୍ଠୀ ମଧ୍ୟ ନିଜ ନିଜର ପରିଚୟ ଦେଇ ନିଜର ମତାମତ ଦେଇଥିଲେ । ଦ୍ୟୁତି ତିରଞ୍ଜନ ମହାଲିଙ୍ଗ ସ୍ଵାଗତ ଭାଷଣ ଦେଇଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଗୋପୀନାଥ ଦଣ୍ଡସେନା । ଟଙ୍କଧର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଦୀପ କୁମାର ସା, ଦନାର୍ଦ୍ଦନ ପାଣ୍ଡେ, ପ୍ରେମାନନ୍ଦ ବେହେରା ଓ ଖପ୍ରାଖୋଲ ବ୍ଲକର ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶତାଧିକ ଯୁବ ଗୋଷ୍ଠୀ ଏଥିରେ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

jittmm
Leave A Reply

Your email address will not be published.