
ବଲାଙ୍ଗିର, (କେପିଏନ୍ଏସ୍) : ଜିଲ୍ଲାର ଅଧିକାଂଶ ପେକ୍ସରେ ମିଲର୍ସଙ୍କ ରାଜ୍ ଚାଲିଥିବା ବେଳେ କଟ୍ନି ଛଟ୍ନିର ହରଡ଼ ଘଣାରେ ଦଳି ହୋଇଯାଉଛନ୍ତି ଚାଷୀମାନେ । ଖୋଲମ୍ଖୋଲା ନକଲି ଚାଷୀଙ୍କ ନାଁରେ ଦଲାଲ୍ ମାନେ ଧାନ ବିକ୍ରି କରୁଥିବା ବେଳେ ମିଲର୍ସ ନିଜ ଫାଇଦା ପାଇଁ ସ୍ୱକୀୟ ମର୍ଜିରେ ଧାନ କିଣୁଥିବା ବି ଦେଖିବାକୁ ମିଳୁଛି । ପୁଇଁନ୍ତଲା ବ୍ଲକ୍ ଅନ୍ତର୍ଗତ ବଇରାସର ପେକ୍ସ ସଂପାଦକ ଗଣମାଧ୍ୟମ ଆଗରେ କଟ୍ନି ଛଟ୍ନି ଚାଲିଥିବା ସ୍ୱୀକାର କରିଥିବା ବେଳେ ଧାନ ଗାଡ଼ିଗୁଡ଼ିକ ମଣ୍ଡିକୁ ନ ଆସି ସିଧାସଳଖ ମିଲ୍ଗୁଡ଼ିକୁ ଯାଉଥିବା ସେ କହିଛନ୍ତି । ଏ ସଂପର୍କରେ ସମ୍ବାଦ ପରିବେଷଣ ହୋଇ ସାରିଥିଲେ ସୁଦ୍ଧା ପ୍ରଶାସନ ଉଚିତ ପଦକ୍ଷେପ ନନେବା ଅତ୍ୟନ୍ତ ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି ।