କାଉନସିଲରଙ୍କ ଆଗରେ ହାର ମାନିଲା ଲୋକଙ୍କ ଜନମତ ନିର୍ବାଚନ ସମୟକୁ ନେଇ ଭାଜପା,ବିଜେଡି କର୍ମୀ ମୁହାଁମୁହିଁ

କଳାହାଣ୍ଡି, ( ଶୁଭେନ୍ଦୁ କୁମାର ପଣ୍ଡା ) : କଳାହାଣ୍ଡି ଜିଲା ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମୁକେଶ ଆଗ୍ରୱାଲଙ୍କ ବିରୋଧରେ ମଙ୍ଗଳବାର ଅନାସ୍ଥା ଭୋଟ ଗ୍ରହଣ କରାଯାଇଥିଲା । ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲଙ୍କ ବିପକ୍ଷରେ ବିଜେଡିର ୧୦ କାଉନସିଲର ଭୋଟ୍‌ ଦେଇଥିବା ଉପାଧ୍ୟକ୍ଷା ହିମାଦ୍ରୀ ନାଏକ ପ୍ରକାଶ କରିଛନ୍ତି । ତେବେ ନିର୍ଦ୍ଧାରିତ ଧାର୍ଯ୍ୟ ସମୟ ମଧ୍ୟରେ ଏହି ଅନାସ୍ଥା ଭୋଟ ଗ୍ରହଣ କରାଯାଇନଥିବା ଅଭିଯୋଗ ଆଣି ଭାଜପାର ୨ କାଉନସିଲର ଅସନ୍ତୋଷ ପ୍ରକାଶ କରି କକ୍ଷ ତ୍ୟାଗ କରିଥିଲେ । ଏପରିକି ଏହି ଘଟଣାକୁ ନେଇ ଭାଜପା ଓ ବିଜେଡି କର୍ମୀ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ପାଟିତୁଣ୍ଡ କରିବା ସହ ମୁହାଁମୁହିଁ ହୋଇଥିଲେ । ପରେ ପୋଲିସ ପ୍ରଶାସନର ହସ୍ତକ୍ଷେପ ପରେ ପରିସ୍ଥିତି ସ୍ୱଭାଭିକ ହୋଇଥିଲା । ଜିଲାପରିଷଦ ଅତିରିକ୍ତ ଉନ୍ନୟନ ଅଧିକାରୀ ଦିଲ୍ଲୀପ ମହାରଣା ନିର୍ବାଚନ ଅଧିକାରୀ ଭାବେ ଯୋଗଦେଇ ଅନାସ୍ଥା ଭୋଟ ପରିଚାଳନା କରିଥଲେ । ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ତହସିଲଦାର ସୁର୍ମି ସୋରେନ, ଇଓ ପ୍ରମୋଦ ଖିଲୋ ପ୍ରମୁଖ ଉପସ୍ଥିତ ଥିଲେ । ଅନାସ୍ଥା ଭୋଟ ଗ୍ରହଣରେ ବିଜେଡିର ୧୦ ଜଣ କାଉନସିଲର ସାମିଲ ହୋଇ ଭୋଟ ଦେଇଥିବା ଜିଲାପରିଷଦ ଅତିରିକ୍ତ ଉନ୍ନୟନ ଅଧିକାରୀ ମହାରଣା ପ୍ରକାଶ କରିଥିଲେ । ସେହିପରି ଜାରିଙ୍ଗ ନିକଟରେ ରାସ୍ତାରୋକ ଯୋଗୁ ଅନ୍ୟପଟେ ବୁଲିକି ଆସିବା ଯୋଗୁ ଭୋଟ ଗ୍ରହଣ ପ୍ରକିୟା ବିଳମ୍ବ ହେଲା ବୋଲି ସେ କହିଥିଲେ । ଅନ୍ୟପଟେ, ଅନାସ୍ଥା ଭୋଟ ପରେ ବିଜେଡି କାଉନସିଲର ଏବଂ ସମର୍ଥକମାନେ ବିଜୟ ଉତ୍ସବ ମନେଇଥିବା ଦେଖାଯାଇଥିଲା । ପ୍ରକାଶ ଯେ,୧୨ଟି ୱାର୍ଡ ବିଶିଷ୍ଟ ଜୁନାଗଡ଼ ଏନଏସିରେ ବିଜେଡିର ୧୦ ଜଣ କାଉନସିଲର ରହିଛନ୍ତି । ଭାଜପାର ମୁକେଶ ଅଗ୍ରୱାଲ ଏଠାରେ ନଗରପାଳ ଭାବେ ନିର୍ବାଚିତ ହୋଇଥିଲେ । ନଗରପାଳ ଅଗ୍ରୱାଲଙ୍କ କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ କରି ଗତ ଜୁଲାଇ ୧୬ ତାରିଖରେ ଜିଲ୍ଲାପାଳଙ୍କୁ ଭେଟି ନଗରପାଳଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ ବିଜେଡି କାଉନସିଲ । ପ୍ରଥମେ ଅଗଷ୍ଟ ୧ ତାରିଖରେ ଅନାସ୍ଥା ଭୋଟ କରିବାକୁ ଜିଲାପାଳ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଉକ୍ତ ଦିନ ୧୧ଟା ବେଳେ ସବୁ ପ୍ରସ୍ତୁତି ହୋଇଥିବା ବେଳେ ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର ସ୍ୱାସ୍ଥ୍ୟବସ୍ଥା ଖରାପ କାରଣରୁ ଏନଏସିକୁ ଆସି ପାରିନଥିଲେ । ପରେ ଅଗଷ୍ଟ ୯ ତାରିଖରେ ଅନାସ୍ଥା ଭୋଟ ହେବାକୁ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଉକ୍ତ ଦିନ ମଧ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ୱ ତୁଲାଉ ଥିବା ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ କଳାହାଣ୍ଡି ଜିଲାପାଳ ଦାୟିତ୍ୱରେ ଥିବାରୁ ଏନଏସିକୁ ଆସିନଥିଲେ । ୨ ଥର ଅନାସ୍ଥା ଭୋଟ ବାତିଲକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ମାମଲାର ବିଚାର କରି ମଙ୍ଗଳବାର ୨୭ ତାରିଖରେ ଅନାସ୍ଥା ଭୋଟ କରିବାକୁ ହାଇକୋର୍ଟ ଜିଲ୍ଲାପାଳକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବିଜେଡି କାଉନସିଲରମାନେ ମଧ୍ୟ ଜିଲାପାଳଙ୍କୁ ସାକ୍ଷାତ କରି ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶନାମା ପ୍ରଦାନ କରିଥିଲେ । ଯାହାଫଳରେ ମଙ୍ଗଳବାର ଅନାସ୍ଥା ଭୋଟ ଗ୍ରହଣ ହୋଇଥିଲା । ଅନ୍ୟପଟେ, ସିଧାସଳଖ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ନଗରପାଳ ମୁକେଶ ଅଗ୍ରୱାଲ ଶେଷରେ ୧୦ ଜଣ କାଉନସିଲରଙ୍କ ଦ୍ୱାରା ଅନାସ୍ଥା ଭୋଟରେ ହାରି ନିଜ ପଦ ହରାଇଛନ୍ତି । କାଉନସିଲରଙ୍କ ଆଗରେ ଲୋକଙ୍କ ଜନମତ ହାରିମାନିଥିବା ସାଧାରଣରେ ଏବେ ଚର୍ଚ୍ଚା ହେଉଛି । ଗତ ୧୨ ତାରିଖ ଭବାନୀପାଟଣା ପୌରଧ୍ୟକ୍ଷା ସଂଯୁକ୍ତା ବେହେରା ମଧ୍ୟ ସ୍ଥାନୀୟ ସମସ୍ତ କାଉନସିଲରଙ୍କ ଦ୍ଵାରା ଅନାସ୍ଥା ଭୋଟରେ ହାରି ନିଜ ପଦ ହରାଇଥିଲେ ।

Leave A Reply

Your email address will not be published.