
ବଲାଙ୍ଗିର, (କେପିଏନ୍ଏସ୍) : ସମାଜରେ କିଛି ଅଭାବୀ ଲୋକ ରହିଛନ୍ତି ଓ ଆଉ କିଛି ଥିଲାବାଲା ଅଛନ୍ତି । କିଛି ଲୋକଙ୍କ ଘରେ ବହୁତ କିଛି ବସ୍ତ୍ର ତଥା ଅନ୍ୟାନ୍ୟ ଜିନିଷ ରହିଥିବା ବେଳେ ଆଉ କିଛି ଲୋକ ଠିକ୍ରେ ପିନ୍ଧିବାକୁ ମଧ୍ୟ ପାଉନାହାଁନ୍ତି । ତେଣୁ ଯେଉଁମାନଙ୍କର ଆବଶ୍ୟକତା ରହିଛି ସେମାନଙ୍କ ପାଇଁ ସ୍ଥାପନ କରାଯାଇଛି “ହଁତା ପେଟି” ଯାହାର “ଅଛେ ବଏଲେ ଦେଉନ୍, ନି ନ ବଏଲେ ନଉନ୍” ଉଦ୍ଦେଶ୍ୟ ନେଇ ଏହାକୁ ସ୍ଥାନୀୟ ରୁଗୁଡିପଡା ସେରସୁଆଁଗୁଡିଠାରେ ଆରମ୍ଭ କରାଯାଇଛି । ରୁଗୁଡିପଡା ସେରସୁଆଁଗୁଡିଠାରେ ଥିବା ରାହୁଲ ଚା’ ଦୋକାନରେ ବସୁଥିବା କିଛି ବୁଦ୍ଧିଜୀବୀ ସମାଜର ଅବହେଳିତ ବର୍ଗଙ୍କ ପାଇଁ ଚିନ୍ତା କରି ଏଭଳି ପଦକ୍ଷେପ ନେଇଛନ୍ତି । ଅନେକ ବଦାନ୍ୟ ବ୍ୟକ୍ତି ତାଙ୍କ ଘରେ ଥିବା ନୂଆ ନୂଆ କପଡା, ବହି, ଖାତା ତଥା ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ଜିନିଷ ଆଣି ଏହି ହଁତା ପେଟିରେ ରଖୁଛନ୍ତି । ଯେଉଁ ଅଭାବୀ ଲୋକମାନଙ୍କର ଆବଶ୍ୟକ ସେହି ଲୋକମାନେ ଆସି ଏଠାରୁ ଜିନିଷପତ୍ର ନେଇକି ମଧ୍ୟ ଯାଉଛନ୍ତି । ଅଗଷ୍ଟ ୧୫ ତାରିଖରେ ୭୭ତମ ସ୍ୱାଧୀନତା ଦିବସରେ ଏହାକୁ ଉଦ୍ଘାଟନ କରାଯାଇଛି । ବରିଷ୍ଠ ନାଗରିକ କୈଳାଶ ଦାସ ଓ ସମ୍ବାଦର ମୁଖ୍ୟ ବାର୍ତ୍ତା ସଂପାଦକ ଅରବିନ୍ଦ ଦାସ ଏହାକୁ ଅନ୍ୟାନ୍ୟ ସଭ୍ୟମାନଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଛନ୍ତି । ପ୍ରଥମେ ପୂଜାର୍ଚ୍ଚନା କରି ନାରିକେଳ ବାଡେଇ ଏହାକୁ ଉଦ୍ଘାଟନ କରି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଜୟ ଭୋଇ, ଗଗନବିହାରୀ ମହାନ୍ତି, ଭାଗିରଥି ମହାକୁର, ଶଶିଶେଖର ପଣ୍ଡା, ପ୍ରଭାତ ସାହୁ, ଅରୁଣ ନାଏକ, ପ୍ରଦୀପ ମହାନ୍ତି, ପ୍ରଶାନ୍ତ ପଟ୍ଟନାୟକ, ବିକାଶ ନନ୍ଦ, ଗଙ୍ଗୁ ହୋତା, ଟିନୁ ଅଲ୍ଲୀ, ଶଙ୍କରଲାଲ ବରାଇ, କ୍ଷିରୋଦ୍ର ମିଶ୍ର, ଜୟକୃଷ୍ଣ ସାହୁ, ରଜନିକାନ୍ତ ସେଠ, ନୟନ ମହାନ୍ତି, ଶିବାନନ୍ଦ ଦାସ, ସାମ୍ବାଦିକ ମନୋରଂଜନ ଯୋଷୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପ୍ରଦୀପ୍ତ ମିଶ୍ର, କାନନବିହାରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।