ଶ୍ରୀମନ୍ଦିରରେ ହବିଷିଆଳିଙ୍କୁ ମାଡ ମରାଯିବା ସହ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଧର୍ମମାସ କାର୍ତ୍ତିକରେ ବ୍ରତ ପାଳିବା ସହ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ହବିଷିଆଳିମାନେ ଶ୍ରୀକ୍ଷେତ୍ରକୁ ଧାଇଁ ଆସିଛନ୍ତି । ଏଠାରେ ୩ ହଜାରରୁ ଅଧିକ ହବିଷିଆଳି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ବୃନ୍ଦାବତୀ ନିବାସ ସମେତ ୫ଟି କେନ୍ଦ୍ରରେ ରହିଛନ୍ତି । ହବିଷିଆଳିଙ୍କ ସୁରକ୍ଷିତ ରହଣି ଓ ମହାପ୍ରଭୁଙ୍କ ଦର୍ଶନ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ତେବେ ବୁଧବାର ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ବୃନ୍ଦାବତୀ ନିବାସରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ହବିଷିଆଳିଙ୍କୁ ଶ୍ରୀମନ୍ଦିରରେ ମାଡ଼ ମରାଯିବା ସହ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ବ୍ରହ୍ମଗିରି ବ୍ଲକ ଅଧୀନ ସାମପୁରର ୭୨ବର୍ଷୀୟା କୁମାରୀ ନାୟକ ଗଣମାଧ୍ୟମ ଆଗରେ ଏଭଳି ଅଭିଯୋଗ ଆଣି ସମ୍ପୃକ୍ତ ସେବାୟତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଦାବୀ କରିଛନ୍ତି । ଏପରିକି ତାଙ୍କ ଅଭିଯୋଗକୁ ପ୍ରଶାସନ ଚପାଇ ଦେବାକୁ ଉଦ୍ୟମ କରୁଛି ବୋଲି ସେ କହିଛନ୍ତି ।

ଅଭିଯୋଗ ଅନୁଯାୟୀ, ବୁଧବାର ପୂର୍ବାହ୍ନ ୧୦ଟା ୩୦ରେ ଜିଲ୍ଲା ପ୍ରଶାସନ ଦ୍ୱାରା ବସ୍‌ ଯୋଗେ ହବିଷିଆଳିମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇବା ଉଦ୍ଦେଶ୍ୟରେ ଶ୍ରୀମନ୍ଦିରକୁ ଅଣାଯାଇଥିଲା । ହବିଷିଆଳିଙ୍କ ଦାୟିତ୍ୱରେ ଥିବା ସ୍ୱେଚ୍ଛାସେବୀ ବାଇଶି ପାହାଚ ପାଖରେ ଅଟକି ଯାଇଥିଲେ । ସେଠାରୁ ହବିଷିଆଳିମାନେ ସାତପାହାଚ ପର୍ଯ୍ୟନ୍ତ ଯାଇଥିଲେ । ସାତପାହାଚ ପାଖରେ ଗହଳି ମଧ୍ୟରେ ଜଣେ ସେବାୟତ କୁମାରୀଙ୍କୁ ଦୁର୍ବ୍ୟବହାର କରିଥିଲେ ଓ ଦୂରେଇ ଠିଆ ହେବାକୁ କହିଥିଲେ । କୁମାରୀ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମାଗଣାଖିଆ ବୋଲି କହି ସେବାୟତ ଜଣକ ଧକ୍କା ମାରି ତାଙ୍କ ପ୍ରମାଣପତ୍ରକୁ ଭିଡ଼ିଥିଲେ । ଫଳରେ କୁମାରୀ ତଳେ ପଡ଼ିଯାଇଥିଲେ । ଏହି ସମୟରେ ତାଙ୍କ ବେକ ଉପରେ ସେବାୟତ ଜଣକ ଚଢ଼ି ଯାଇଥିଲେ । ସେଠାରେ ଉପସ୍ଥିତ ଭକ୍ତମାନେ ଏହା ଦେଖି କୁମାରୀଙ୍କୁ କୌଣସି ପ୍ରକାରେ ଉଦ୍ଧାର କରିଥିଲେ । ଏହାର ସୁଯୋଗ ନେଇ ସମ୍ପୃକ୍ତ ସେବାୟତ ଖସି ପଳାଇଥିଲେ । କୁମାରୀ ଏ ସମ୍ପର୍କରେ ସ୍ବେଚ୍ଛାସେବୀଙ୍କୁ ଜଣାଇଥିଲେ ମଧ୍ୟ ସେ ସିଂହଦ୍ୱାର ଥାନାରେ ଅଭିଯୋଗ କରି ନ ଥିଲେ । ଆକ୍ରମଣରେ କୁମାରୀଙ୍କ ବାମ ଗୋଡ଼ରେ ଆଘାତ ଲାଗି ଫୁଲି ଯାଇଥିବା ବେଳେ ବେକରେ ମଧ୍ୟ ଆଘାତ ଲାଗିଛି । ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇ ନ ଥିବା ଜଣାପଡ଼ିଛି । ଏଭଳି ସ୍ଥିତିରେ କୁମାରୀ ସମ୍ପୃକ୍ତ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରୁଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନାହିଁ, ବରଂ ଅଭିଯୋଗକୁ ଚପାଇ ଦେବାକୁ ବସିଛି । ନିୟମ ଅନୁଯାୟୀ, ଅଭିଯୋଗ ଆଧାରରେ ଏତଲା ହୋଇ ତଦନ୍ତ କରାଯିବା କଥା, ମାତ୍ର ସ୍ୱେଚ୍ଛାସେବୀ ଓ ପ୍ରଶାସନ କାହିଁକି ଏହାକୁ ଅଣଦେଖା କଲେ ତାହାକୁ ନେଇ କୁମାରୀ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ମୋତେ ଚୁପ୍‌ କରାଇ ଦିଆଗଲା । ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ମୋ’ କଥା କେହି ଶୁଣିଲେ ନାହିଁ । ମୋତେ ବିନା କାରଣରେ ଗାଳିଗୁଲଜ କରାଯିବା ସହ ମାଡ଼ ମରାଗଲା । ଏହାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଦାବୀ କରିଛନ୍ତି । ଏହି ଘଟଣାକୁ ନେଇ ଶ୍ରଦ୍ଧାଳୁ ଓ ହବିଷିଆଳିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସମ୍ପୃକ୍ତ ସେବାୟତଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

error: Content is protected !!