ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା : ଜଣେ ମୃତ, ୩ ଗୁରୁତର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ନିକଟବର୍ତ୍ତୀ ପତ୍ରାପାଲି (ଗ) ଗ୍ରାମ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତକ ଜଣକ ଇଚ୍ଛାପଡା ଗ୍ରାମର ନୀତେଶ ଚିନ୍ଦା ହୋଇଥିବା ବେଳେ ସେ ବଡସାଇମରା ହାଇସ୍କୁଲରେ ପିଅନ ରୂପେ କାମ କରୁଥିଲେ । ଇଚ୍ଛାପଡ଼ା ଓ ନୂଆଁମୁଣ୍ଡା ଗ୍ରାମର ଦୁଇ ବାଇକ୍ (ସିଜି ୦୪ସିଟି ୧୭୪୦ ଓ ଓଡ଼ି ୦୩ସି ୫୩୦୮) ମଧ୍ୟରେ ମୁହାଁମୁଁହି ଧକ୍କା ହୋଇଥିଲା । ଉଭୟ ବାଇକରେ ଦୁଇଜଣ ଲେଖାଏଁ ଆରୋହୀ ବସିଥିବା ବେଳେ ଧକ୍କା ହେବାରୁ ସମସ୍ତେ ରାସ୍ତାରେ ଛିଟିକି ପଡ଼ିଥିଲେ । ଅତ୍ୟନ୍ତ ଗୁରୁତର ନୀତେଶଙ୍କ ଅତ୍ୟଧିକ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ଜଣ ଗୁରୁତରଙ୍କୁ କଣ୍ଟାବାଞ୍ଜି ମେଡିକାଲ୍ ନିଆଯାଇଥିଲା । ମୁରିବାହାଲ ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁଇ ବାଇକ୍ ଜବତ ଓ ଆହତମାନଙ୍କୁ ମେଡିକାଲକୁ ନେଇ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Leave A Reply

Your email address will not be published.