
ବାସୁଦେବପୁର : ବାସୁଦେବପୁର ବ୍ଲକ କିସ୍ମତ କୃଷ୍ଣପୁର ପଞ୍ଚାୟତ ବହୁମାଘେରି ବିଦ୍ୟାଳୟରେ ଆଜି ଗୁରୁ ଦିବସ ଚାଲିଥିବା ବେଳେ ଅଘଟଣ । ଗୁରୁ ଦିବସ ପାଳନ ସମୟରେ ଛାତ୍ରଛାତ୍ରୀଙ୍କ ଉପରେ ସ୍କୁଲ ଛାତରୁ ଖସି ପଡ଼ିଲା ସିମେଣ୍ଟ ଅତଡ଼ା । ସିମେଣ୍ଟ ଅତଡ଼ା ପଡ଼ି ୩ ଜଣ ଛାତ୍ରୀ ମୁଣ୍ଡ ଫାଟିବା ସହଶରୀର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ଛାତ୍ରଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ବିଦ୍ୟାଳୟର ଶିଶୁବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୨ ଜଣ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି । ଆଜି ସକାଳେ ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀ ଆସି ଗୁରୁ ଦିବସ ପାଳନ କରିଥିଲେ । ଘରକୁ ଯିବା ସମୟରେ ବିଦ୍ୟାଳୟ ବାରଣ୍ଡାରେ ଖେଳୁଥିବା ବେଳେ ହଠାତ ବାରଣ୍ଡା ଛାତ ଖସି ପଡ଼ିଥିଲା । ଫଳରେ ଛାତ୍ରୀମାନଙ୍କର ମୁଣ୍ଡ ଫାଟିବା ସହ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା । ତୁରନ୍ତ ପରିବାର ଲୋକେ ପହଞ୍ଚି ପ୍ରଧାନ ଶିକ୍ଷକଙ୍କ ଜରିଆରେ ବାସୁଦେବପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ । ଏହି ବିଦ୍ୟାଳୟରେ ଶ୍ରେଣୀ ଗୃହର ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ ଅବିଭାବକ ମାନେ ବାରମ୍ବାର ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ବିଡ଼ିଓଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ ସୁଦ୍ଧା ହେଲେ କେହି କର୍ଣ୍ଣପାତ କରିନଥିଲେ । ଯାହାର ପରିଣାମ ଆଜି ପିଲାମାନଙ୍କୁ ଭୋଗିବାକୁ ପଡିଲା ବୋଲି ଅବିଭାବକ ମାନେ କହିଛନ୍ତି ।