
ସମ୍ବଲପୁର : ବିଦ୍ୟୁତ୍ ଆଘାତରେ ସ୍ତ୍ରୀ ମୃତ ସ୍ଵାମୀ ଗୁରୁତର । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ବାଟଗାଁ ପଞ୍ଚାୟତ ଭାଲୁଗାଡିଆ ଗ୍ରାମରେ ମଙ୍ଗଳବାର ସକାଳେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗୁରୁତରଙ୍କୁ ନାକଟିଦେଉଳ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ମଙ୍ଗଳବାର ସକାଳ ପ୍ରାୟ ସାଢେ ୬ଟା ବେଳେ ଭାଲୁଗାଡିଆ ଗ୍ରାମର ଅନିତା ପୁରୋହିତ ଗାଧୋଇବାକୁ ଯାଇଥିବା ସମୟରେ ମୋଟର ପମ୍ପରୁ ବିଦ୍ୟୁତ୍ ଆଘାତ ଲାଗିଥିଲା । ତାଙ୍କୁ ଉଦ୍ଧାର କରିବାକୁ ଯାଇ ସ୍ଵାମୀ ସନ୍ତୋଷ ପୁରୋହିତ ଗୁରୁତର ହୋଇଥିଲେ । ସନ୍ତୋଷଙ୍କୁ ନାକଟିଦେଉଳ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ବିଦ୍ୟୁତ୍ ଆଘାତରେ ଅନିତାଙ୍କ ମୃତ୍ୟୁ ଘଟିଛି । ଅନିତା ବାଟଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ନାକଟିଦେଉଳ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅନିତାଙ୍କ ଶବ ବ୍ୟବଚ୍ଛେଦ ପାଇଁ ରେଢାଖୋଲ ପଠାଇଛି ।