ଟେଙ୍ଗରା ଗ୍ରାମରେ ଚାଞ୍ଚଲ୍ୟ : ସ୍ୱାମୀର ବନ୍ଧୁକ ଗୁଳିରେ ସ୍ତ୍ରୀ ଗୁରୁତର, ଜଂଘରେ ରହିଛି ଗୁଳି

  • ଗୁରୁତର ସ୍ତ୍ରୀଙ୍କ ଘଟଣାର ୯ ଦିନ ପରେ ଥାନାରେ ଏତଲା
  • ଅଭିଯୋଗ ପରେ ସ୍ଵାମୀ ଥାନାରେ ଅଟକ, ବନ୍ଧୁକ ଜବତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବଡସାଇମରା ପଞ୍ଚାୟତ ଟେଙ୍ଗରା ଗ୍ରାମରେ ଏକ ଛାତି ଥରା ତଥା ଚାଞ୍ଚଲ୍ୟକର ଘଟଣା ବହୁ ବିଳମ୍ବରେ ଜଣାପଡିଛି । ଜଣେ ସ୍ଵାମୀ ତାଙ୍କ ନିଜ ସ୍ତ୍ରୀଙ୍କୁ ଏକ ହାତ ତିଆରି ବନ୍ଧୁକରେ ଗୁଳି ମାରିଦେବାରୁ ସ୍ତ୍ରୀ ଜଣଙ୍କ ଜଂଘରେ ଗୁଳିଟି ରହିଯାଇଛି । ସେ ଅତ୍ୟନ୍ତ ଗୁରୁତର ଥିବା ବେଳେ କିନ୍ତୁ ଘଟଣାର ୯ ଦିନ ପରେ ଆସି ସ୍ଵାମୀ ବିରୁଦ୍ଧରେ ଥାନାରେ ଲିଖିତ ଏତଲା ଦେଇଥିବା ଭଳି ଘଟଣା ବିଳମ୍ବରେ ଜଣାପଡିଛି । ଟେଙ୍ଗରା ଗ୍ରାମର ସୁଧାକର ମଲ୍ଲିକ(୩୭) ବେଲପଡା ଥାନା ଡୁଙ୍ଗୁରୀପାଲି ଗ୍ରାମର ବେଦମତୀ ମଲ୍ଲିକ(୩୫)ଙ୍କୁ ବିବାହ କରି ୧୩ ବର୍ଷର ପୁଅ ଓ ୬ ବର୍ଷୀୟା ଝିଅ ସହ ଗାଁରେ ରହୁଥିଲେ । ଗତ ୧୬ ତାରିଖ ଦିନ ସୁଧାକର ଅତ୍ୟନ୍ତ ନିଶା ସେବନ କରିଥିବା ବେଳେ ତାଙ୍କ ସ୍ତ୍ରୀ ବେଦମତୀଙ୍କ ସହ ତାଙ୍କ ପାରିବାରିକ କଳହ ହୋଇଥିଲା । ସେ ସ୍ତ୍ରୀଙ୍କୁ ଘରେ ପୂର୍ବରୁ ଆଣି ରଖାଯାଇଥିବା ଏକ ହାତ ତିଆରି ଘରୋଇ ବନ୍ଧୁକ ଆଣି ଡରାଉଥିଲେ । ଏହି ସମୟରେ ହଠାତ୍ ବନ୍ଧୁକଟି ଫୁଟି ଯାଇ ସେଥିରେ ଥିବା ଗୁଳିଟି ସ୍ତ୍ରୀ ବେଦମତୀଙ୍କ ଜଂଘରେ ଯାଇ ଲାଗିଥିଲା । ଗୁରୁତର ସ୍ତ୍ରୀ ସେଠାରୁ ହଠାତ୍ କେଉଁଆଡେ ଚାଲି ଯାଇଥିଲେ । ସେ ନିଜ ବାପ ଘରକୁ ଚାଲିଯାଇ ସେଠାରୁ ବଲାଙ୍ଗିର ଯାଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଜଂଘରେ ଗୁଳିଟି ରହିଯାଇଥିବାରୁ ଅବସ୍ଥା ଦିନକୁ ଦିନ ଆହୁରି ଗୁରୁତର ଆକାର ଧାରଣ କରିଥିବା ଜଣାପଡିଛି । ଫଳରେ ଘଟଣାର ୯ ଦିନ ପରେ ଶନିବାର ସ୍ତ୍ରୀ ବେଦମତୀ ମୁରିବାହାଲ ଥାନା ପହଞ୍ଚି ସ୍ଵାମୀ ବିରୁଦ୍ଧରେ ଲିଖିତ ଏତଲା ଦେଇଥିଲେ । ବେଦମତୀଙ୍କ ଏତଲା ଆଧାରରେ ପୁଲିସ କେଶ ନଂ ୨୭୧/୨୪ ରୁଜୁ କରି ତତ୍ପରତା ପ୍ରକାଶ ସହ ତନାଘନା ଆରମ୍ଭ କରିଥିଲା । ପୁଲିସ୍ ଟେଙ୍ଗରା ଗ୍ରାମକୁ ପହଞ୍ଚି ଅଭିଯୁକ୍ତ ସ୍ଵାମୀ ସୁଧାକର ମଲ୍ଲିକଙ୍କୁ କାବୁ କରିବା ସହ ସେ ବ୍ୟବହାର କରିଥିବା ହାତ ତିଆରି ଘରୋଇ ବନ୍ଧୁକକୁ ମଧ୍ୟ ଜବତ କରିଥିଲା । ବେଦମତୀଙ୍କ ଏତଲା ଆଧାରରେ ତାଙ୍କ ସ୍ଵାମୀ ସୁଧାକରଙ୍କୁ ଥାନାରେ ଅଟକ ରଖାଯାଇ ଅଧିକ ତଦନ୍ତ ଜାରିରହିଛି, ବ୍ୟବହୃତ ବନ୍ଧୁକ ମଧ୍ୟ ଜବତ ହୋଇଛି ଓ ଗୁରୁତର ସ୍ତ୍ରୀଙ୍କୁ ଅଧିକ ଚିକିତ୍ସା ପାଇଁ ବଲାଙ୍ଗିର ମେଡ଼ିକାଲ୍‌ ପଠାଯାଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.