
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଡ୍ରାଇଭରମାନେ ଆଇନ ଅମାନ୍ୟ କରି ପୁଲିସ ଉପରକୁ ଟେକା ପଥର ମାଡ କରିବା ସହ ଠେଙ୍ଗାରେ ଆକ୍ରମଣ କରିବା ଏକ ନିନ୍ଦନୀୟ ଘଟଣା ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।
ସୂଚନା ଅନୁସାରେ ବ୍ରହ୍ମପୁର ବାଇପାସରେ ଆନ୍ଦୋଳନରତ ଡ୍ରାଇଭର-ପୁଲିସ ମୁହାଁମୁହିଁ ହୋଇଥିଲେ । ରାସ୍ତାରେ ଗାଡ଼ି ଅଟକାଇବା ବେଳେ ପୁଲିସ-ଡ୍ରାଇଭର ମୁହାଁମୁହିଁ ହୋଇ ବାହାର ଗାଡ଼ିକୁ ଅଟକାଇବା ବେଳେ ପୁଲିସ ଯୁକ୍ତିତର୍କ କରିଥିଲା । ଫଳରେ ଡ୍ରାଇଭର ସଂଘ ସହ ପୋଲିସ ଧସ୍ତାଧସ୍ତି ହେବାକୁ ପଡ଼ିଥିଲା ଏବଂ ପୋଲିସ ଲାଠି ଚାଳନା କରିଥିଲା । ଫଳରେ ଡ୍ରାଇଭରମାନେ ପୁଲିସ ଉପରକୁ ଟେକା ପଥର ମାଡ କରିବା ସହ ଠେଙ୍ଗାରେ ଆକ୍ରମଣ କରିଥିଲେ । ଏଥିରେ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ, ଗୋପାଳପୁର ଏସ.ଆଇ. ଜୟଚନ୍ଦ୍ର ମଲ୍ଲିକ, ଏସ.ଆଇ. ମହେନ୍ଦ୍ର ବେହେରା, ଜଗନ୍ନାଥପୁର ଫାଣ୍ଡି ଅଧିକାରୀ ଅରୁଣ କୁମାର ରାଉତ, ବୈଦ୍ୟନାଥପୁର ଥାନା ଏ.ଏସ.ଆଇ. ଗିରି ଗୋବର୍ଦ୍ଧନ ଜେନା, ହୋମଗାର୍ଡ ଗୋପାଳ କୃଷ୍ଣ ରଥ, ଚମାଖଣ୍ଡି ଥାନା ଓ.ଏ.ପି.ଏଫ. କନେଷ୍ଟବଳ ଅକ୍ଷୟ ରଇତ ଆହତ ହୋଇଛନ୍ତି । ଉତ୍ୟକ୍ତ ଡ୍ରାଇଭରମାନଙ୍କ ସମସ୍ୟା ଖୁବଶୀଘ୍ର ବିଚାର ଆଲୋଚନା କରିବା ଜରୁରୀ । ଅନ୍ୟଥା ପରିସ୍ଥିତି ଅସମ୍ଭାଳ ହେବ ଏବଂ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଓ ପନିପରିବା ଆଦିର ଦର ବୃଦ୍ଧି ହେବା ସମ୍ଭାବନାକୁ ସରକାର ଏଡାଇବାକୁ ପଡ଼ିବ ବୋଲି ବିଭିନ୍ନ ମହଲରେ କୁହାଯାଇଛି ।