ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ଗୁରୁ ପୂର୍ଣ୍ଣିମା ତିଥିରେ ଗୁରୁ ପୂଜନ ପରମ୍ପରା ଆଦିମ କାଳରୁ ଚାଲିଆସୁଛି । ପ୍ରତ୍ୟେକ ଗ୍ରାମରେ ଶିଷ୍ୟମାନେ ଗୁରୁ ପୂଜନ କରି ଆଶୀର୍ବାଦ ନେଇଥାନ୍ତି । ଅତ୍ୟାଧୁନିକ ଯୁଗରେ ଗୁରୁମାନେ ଉପଯୁକ୍ତ ସମ୍ମାନ ପାଇ ନିଜକୁ ଧନ୍ୟ ମଣିଥାନ୍ତି । ଗୁରୁ ସର୍ବଦା ଶିଷ୍ୟମାନଙ୍କୁ ଉଚିତ ମାର୍ଗରେ ପରିଚାଳିତ ହେବାକୁ ଶିକ୍ଷା ଦାନ କରିଥାନ୍ତି । ତାର ଝଲକ ବର୍ତ୍ତମାନ ମଧ୍ୟ ପ୍ରତୀୟମାନ ହେଉଛି । ଶିକ୍ଷା ଗୁରୁ ସହ ସତମାର୍ଗରେ ପରିଚାଳିତ ହେବାକୁ ଉପଦେଶ ଦେଉଥିବା ବୟୋଜ୍ୟେଷ୍ଠଙ୍କୁ ପୂଜ୍ୟ ପୂଜା କରାଯାଉଛି । ଏ ପରିପ୍ରେକ୍ଷୀରେ ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭୁବନେଶ୍ୱରପୁର ଗ୍ରାମ ପଞ୍ଚାୟତ ଗୋପପୁର ମହିମା ଆଶ୍ରମର ଅଧିଷ୍ଠାତା ତଥା ଅଞ୍ଚଳରେ ଗୁରୁ ଭାବରେ ପ୍ରସିଦ୍ଧି ଲାଭ କରିଥିବା ସାଧୁ ନୃସିଂହ ଦାସ ଓ ଭକ୍ତମାନଙ୍କୁ ଅଞ୍ଚଳର ଗୁରୁ ଭାବରେ ଗୁରୁ ପୂଜନ କରାଯାଇଥିଲା । ସାଧୁ ନୃସିଂହ ଦାସ ଛତିଶଗଡ଼, ଓଡିଶା, ପଶ୍ଚିମ ବଙ୍ଗ, ଆନ୍ଧ୍ର ଓ ଅନ୍ୟାନ୍ୟ ରାଜ୍ୟକୁ ଯାଇ ମହିମା ଧର୍ମର ପ୍ରଚାର ପ୍ରସାର ସହ ସମାଜରେ ଥିବା ଅନ୍ଧ ବିଶ୍ୱାସ, କୁସଂସ୍କାର, ପରିବେଶ ସୁରକ୍ଷା, ଉତ୍ତମ ନାଗରିକ ହୋଇ ଦେଶର ସେବା କରିବା ପାଇଁ ପ୍ରଚାର ପ୍ରସାର କରି ଏକ ପ୍ରସିଦ୍ଧ ଗୁରୁ ଭାବରେ ଯୋଗ୍ୟତା ହାସଲ କରିଛନ୍ତି । ଦେଶର ବିଭିନ୍ନ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରି ଦେଶମାତୃକା ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ କରୁଛନ୍ତି । ଭାଜପା ନେତା ସରୋଜ ସାମଲ, କୈଳାସ ଦିଶ୍ରୀ, ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରତାପ ସିଂ ବରିହା, ପର୍ଶୁରାମ ନାଏକ, ତିଳକ ରଣା, ରାଜେନ୍ଦ୍ର ସେଠ ପ୍ରମୁଖ ଗୋପପୁର ଆଶ୍ରମ ଯାଇ ଗୁରୁ ପୂଜନ କରିଥିଲେ । ଆଶ୍ରମରେ ଅନେକ ମହିମାଧର୍ମି ସାଧୁ ସନ୍ଥ ଓ ବୟସ୍କ ବ୍ୟକ୍ତି ଉପସ୍ଥିତ ଥିଲେ । ସେମାନଙ୍କର ମଧ୍ୟ ଗୁରୁ ତୁଲ୍ୟ ପୂଜାର୍ଚ୍ଚନା କରିଥିଲେ ।
