ନିଆରା ଭାବରେ ଗିଧମାଲ ଗ୍ରାମରେ ଗୁରୁଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗିଧମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ଧନେଶ୍ଵର ବରିହାଙ୍କ ସଭାପତିତ୍ୱରେ ଗୁରୁଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିବାରର ସମସ୍ତ ସଦସ୍ୟ ସଦସ୍ୟା, ପରିଚାଳନା କମିଟିର ଅଧ୍ୟକ୍ଷ ଓ ସମସ୍ତ ସଦସ୍ୟ ସଦସ୍ୟା, ମୁଖ୍ୟ ଅତିଥି କଟାବାହାଲ ସରପଞ୍ଚ ଅର୍ପିତା ପଣ୍ଡା ଏବଂ ଅବସରପ୍ରାପ୍ତ ଗୁରୁବୃନ୍ଦ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଗୁରୁ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ପ୍ରଥମେ ଉପସ୍ଥିତ ଥିବା ସମସ୍ତ ଗୁରୁଜୀ ଏବଂ ଗୁରୁମାମାନଙ୍କୁ ଗୁରୁ ପୂଜା କରାଯାଇଥିଲା । ପରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର କୁମାର ଦାସ, ଯଦୁମଣି ପ୍ରଧାନ ଏବଂ ଏହି ସ୍କୁଲର ପୂର୍ବତନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଭୋଇ, ସୁମିତ୍ରା ବରିହା ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୀବନର ସ୍ମୃତି ଚାରଣ କରିବା ସହ ଗୁରୁଙ୍କୁ ସମଗ୍ର ସମାଜର ମାର୍ଗଦର୍ଶକ ଭାବରେ ମତବ୍ୟକ୍ତ କରିଥିଲେ । ପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଗ୍ରାମର କୁନି କୁନି ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ନୃତ୍ୟ ପରିବେଷଣ କରି ଖୁବ୍ ଧୁମ୍ ଧାମ୍‌ରେ ପାଳନ କରିଥିଲେ । ସହକାରୀ ଶିକ୍ଷକ ପ୍ରହଲ୍ଲାଦ ସାହୁ ସ୍ବାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଏହି କାର୍ଯ୍ୟକ୍ରମକୁ ବିରେନ୍ଦ୍ର ପ୍ରଧାନ, ଶନିଶ୍ଚର ସାହୁ, ସମ୍ପଦ ବାଗ, ରାଧାକାନ୍ତ ଭୋଇ, ମନୋହର କଲେତ, ପବିତ୍ର ସାହୁ ପରିଚାଳନା କରିଥିଲେ । ପ୍ରଥମ କରି ସ୍କୁଲରେ ଏଭଳି କାର୍ଯ୍ୟକ୍ରମ ହୋଇଥିବାରୁ ଗ୍ରାମବାସୀ ଖୁବ୍ ଉତ୍ସାହିତ ହୋଇ ସ୍କୁଲର ସହକାରୀ ଶିକ୍ଷକ ପ୍ରହଲ୍ଲାଦ ସାହୁଙ୍କୁ ଲୋକେ ଭୂରି ଭୂରି ପ୍ରଶଂସା କରିଥିଲେ । ତେବେ ସମସ୍ତ ଗ୍ରାମବାସୀଙ୍କ ସହଯୋଗ କ୍ରମେ ଉକ୍ତ କାର୍ଯ୍ୟକ୍ରମ ସଫଳ ହୋଇ ଥିବାରୁ ପ୍ରଧାନ ଶିକ୍ଷକ ଧନେଶ୍ଵର ବରିହା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.