ଗୁଣି ଗାରେଡି ସନ୍ଦେହରେ ୧୪ ଜଣଙ୍କୁ ବାସନ୍ଦ ମାମଲା : ସରପଞ୍ଚଙ୍କ ଡିଜିଟାଲ ଦସ୍ତଖତକୁ ବାଜ୍ୟାପ୍ତ କଲେ ବଲାଙ୍ଗିର ଜିଲ୍ଲାପାଳ
ଟିଟିଲାଗଡ, (ଗୌରବ ଦର୍ଜୀ) : ସିନ୍ଧେକେଲା ଥାନା ଅନ୍ତର୍ଗତ ଦିଗଶିରା ପଞ୍ଚାୟତ ଅଧୀନସ୍ଥ ନିମୁର୍ଲା ଗ୍ରାମରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗ୍ରାମର ଗୋଟିଏ ପରିବାରର ୧୪ ଜଣଙ୍କୁ ବାସନ୍ଦ କରାଯାଇଥିଲା । ନିମୁର୍ଲା ଗ୍ରାମର ଗୋଲକ ବିହାରୀ ସିଂଭୋଇଙ୍କ ଝିଆରୀ ମାନସିକ ବିକୃତ ହୋଇଥିବା ବେଳେ ଗୋଲକଙ୍କ ପରିବାର ବର୍ଗ ଗ୍ରାମର ବ୍ରଜ ଭୋଇଙ୍କ ପରିବାରକୁ ଗୁଣିଗାରେଡି କରିଥିବା ସନ୍ଦେହ କରୁଥିଲେ । ଏହି ମାମଲାରେ ଦିଗଶିରା ସରପଞ୍ଚ ଓ ବାସନ୍ଦ ପରିବାର ମଧ୍ୟରେ ଝଗଡ଼ା ହୋଇ ଥାନାକୁ ମାମଲା ଯାଇଥିଲା । ଏହି ମାମଲାରେ ୬ଜଣ ଗିରଫ ମଧ୍ୟ ହୋଇଥିଲେ । ଏନେଇ ପୁଲିସ ଗ୍ରାମରେ ପହଞ୍ଚି ସଚେତନତା ସଭା କରି ଲୋକଙ୍କୁ ଝଡ଼ାଫୁଙ୍କା, ଗୁଣିଗାରେଡ଼ିକୁ ବିଶ୍ୱାସ ନକରି ଆଧୁନିକ ଯୁଗର ତାଳେ ତାଳେ ଚାଲିବାକୁ ପରାମର୍ଶ ଦେଇଥିଲା । ତେବେ ସଚେତନତା ସଭା ଆରମ୍ଭ ହେବା ପରେ ଗ୍ରାମରେ ଉତ୍ତେଜନା ବୃଦ୍ଧି ପାଇଥିଲା । ବାସନ୍ଦ କରାଯାଇଥିବା ବ୍ରଜ ଭୋଇଙ୍କ ପରିବାର ବର୍ଗଙ୍କୁ ଗାଁରେ ପୂରାଇ ନଦେବାକୁ ଦିଗଶିରା ସରପଞ୍ଚଙ୍କ ପରିବାର ଜିଦ୍ ଧରିଥିଲେ । ଗ୍ରାମବାସୀ ପୁଲିସକୁ ବିଭିନ୍ନ ପ୍ରଶ୍ନବାଣରେ ଘାୟଲା କରିଥିଲେ । ଅନ୍ୟପଟେ ଗତକାଲି ଦିଗଶିରା ସରପଞ୍ଚ ଗୋଲକ ସିଂ ଭୋଇଙ୍କ ଡିଏସସି (ଡିଜିଟାଲ ସିଗନେଚର୍ ଆଫ୍ ସାର୍ଟିଫିକେଟ)କୁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ବାଜ୍ୟାପ୍ତ କରିଥିବା ଜଣାଯାଇଛି । ଏ ସଂପର୍କରେ ଟିଟିଲାଗଡ ବିଡ଼ିଓ ନବୀନ ଚନ୍ଦ୍ର ନାୟକଙ୍କୁ ଯୋଗାଯୋଗ କରିବାରୁ ସେ ବର୍ତ୍ତମାନ ଯାଏଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଡିଏସସି ବାଜ୍ୟାପ୍ତ ହୋଇ ରହିଥିବା ପ୍ରକାଶ କରିଛନ୍ତି ।