
ମାଲକାନଗିରି : ମହାରାଷ୍ଟ୍ର ଗଡଚିରୋଲି ଜିଲ୍ଲା ଏନ୍କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଚାରି ଜଣ ହାର୍ଡକୋର ମାଓବାହୀ ନିହତ ହୋଇଥିବା ସୂଚନା ମିଳିଛି । ଏହାସହିତ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି । ଖବର ଅନୁଯାୟୀ, ମହାରାଷ୍ଟ୍ର ଓ ଛତିଶଗଡ଼ ସୀମାନ୍ତରେ ମାଓବାଦୀମାନେ ଲୁଚିଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଯାହାପରେ ସୁରକ୍ଷାକର୍ମୀ ଓ ସ୍ଥାନୀୟ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନ । ନେଲଗୁଣ୍ଡା ଓ ଇନ୍ଦ୍ରାବତୀ ଜଙ୍ଗଲରେ ମହାରାଷ୍ଟ୍ରର ସି-୬୦ ବାହିନୀ ଓ ସିଆର୍ପିଏଫ୍ ପକ୍ଷରୁ ଚାଲିଥିଲା କୁମ୍ବିଂ ଅପରେସନ । ତେବେ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଅପରେସନ ଦେଖି ମାଓବାଦୀମାନେ ଅଚାନକ ଗୁଳିଚାଳନା କରିଥିଲେ । ଯାହାର ପାଲଟା ଜବାବ ଦେଇଥିଲେ ସୁରକ୍ଷା ବାହିନୀ । ଦୀର୍ଘ ଦୁଇ ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲେ । ପରେ ଘଟଣାସ୍ଥଳରେ ଚମ୍ପଟ ମାରିଥିଲେ ମାଓବାଦୀ । ଶେଷରେ ସର୍ଚ୍ଚ ଅପରେସନ ସମୟରେ ୪ ମାଓବାଦୀଙ୍କ ମୃତଦେହ ଠାବ କରିଥିଲେ ସୁରକ୍ଷା ବାହିନୀ । ଘଟଣାସ୍ଥଳରୁ ସ୍ୱଂୟଚାଳିତ ସେଲ୍ଫ-ଲୋଡିଂ ରାଇଫଲ, ୨ଟି ୩୦୩ ରାଇଫଲ, ଗୋଟିଏ ଭର୍ମର ଉଦ୍ଧାର କରାଯାଇଥିଲେ । ଏହାସହିତ ଓ୍ୱାକି-ଟକି, କ୍ୟାମ୍ପିଂ ସାମଗ୍ରୀ, ନକ୍ସଲ ପୁସ୍ତିକ ଆଦି ଜବତ ହୋଇଛି । ସେହିପରି ବାକି ଜଙ୍ଗଲରେ ଆଉ କିଛି ମାଓବାଦୀ ଲୁଚି ରହିଥିବା ଆଶଙ୍କାରେ ସର୍ଚ୍ଚ ଅପରେସନ ଜାରି ରହିଛି ।