ସରପଞ୍ଚମାନଙ୍କ ଗୁହାରି ଶୁଣିଲେ ଜିଲ୍ଲାପାଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକରେ ଥିବା ବିଭିନ୍ନ ସମସ୍ୟାକୁ ନେଇ କିଛି ଦିନ ତଳେ ଗାଇସିଲେଟ ସରପଞ୍ଚ ସଂଘ ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀଙ୍କୁ ୧୦ ଦଫା ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳ ତୁରନ୍ତ କିଛି ବିଭାଗୀୟ ଅଧିକାରୀଙ୍କୁ ଫୋନ ଯୋଗେ ନିର୍ଦ୍ଦେଶ ଦେଇ କିଛି ସମସ୍ୟାର ସମାଧାନ କରିଥିବା ବେଳେ ଅନେକ ଗୁଡ଼ାଏ ସମସ୍ୟା ବିଷୟରେ ଆଲୋଚନା କରିବା ପାଇଁ ଏକ ସମୟ ଦେଇଥିଲେ । ଗୁରୁବାର ଦିନ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଗାଇସିଲେଟ ବ୍ଲକ ପରିସରରେ ଏକ ବୈଠକ କରି ସମସ୍ତ ସରପଞ୍ଚମାନଙ୍କ ଅଭିଯୋଗ ଶୁଣି ତୁରନ୍ତ ଏହି ସବୁ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଏତିକିରେ ଅଟକି ନଥିଲେ ଜିଲ୍ଲାପାଳ । ଦିନ ୨ଟା ସମୟରେ ୪୫ ଡିଗ୍ରୀ ତାପମାତ୍ରାକୁ ଖାତିର ନ କରି ଭେଲୁଆଁପଦର ମେଗା ଉଠା ଜଳସେଚନ ପ୍ରକଳ୍ପ, ଗାଇସିଲେଟ ଆଦର୍ଶ ପୋଖରୀ, ନୂତନ ଗ୍ରାମ ପଞ୍ଚାୟତ ଅଫିସ୍, ନୂତନ ବ୍ଲକ ଅଫିସ, ମିଶନ ଶକ୍ତି ଗୃହ, ମିଶନ ଶକ୍ତି କେଫେ, ତାଲପାଲି ଗ୍ରାମୀଣ ଉଦ୍ୟାନ, ଜନକେଡା ଗୋପବନ୍ଧୁ ସେବାଶ୍ରମ, ତେଲିପୁଖାପାଣି ଗ୍ରାମରେ ନିର୍ମାଣାଧିନ ଆଦର୍ଶ ପୋଖରୀ ଓ କେଟେଲ ହଷ୍ଟେଲକୁ ଯାଇ ନିର୍ମାଣାଧୀନ କାର୍ଯ୍ୟର ତଦାରଖ କରିଥିଲେ । ତେବେ ଜିଲ୍ଲାପାଳଙ୍କ ଏଭଳି କାମ ପାଇଁ ସରପଞ୍ଚ ସଂଘ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

jittmm
Leave A Reply

Your email address will not be published.