jayashree

କ୍ୟାନ୍‌ସର୍‌ ରୋଗ ହେଲା କାଳ : ପନିପରିବା ବିକି ପରିବାର ଚଳଉଥିବା କିଶୋର ଏବେ ନିଃସହାୟ : ଆଉ ଥରେ ଅପରେସନ୍‌ ପାଇଁ ଦରକାର ୩ ଲକ୍ଷ, ହାତରେ କାଣି କଉଡ଼ି ଟିଏ ବି ନାହିଁ : ସହାୟତା ପାଇଁ ଗୁହାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଲାଲ୍‌ଟିକ୍ରା ନିକଟସ୍ଥ ଗୋପବନ୍ଧୁ ନଗର ନିବାସୀ କିଶୋର ସାହୁ ଏବେ ନିଃସହାୟ ହୋଇ ପଡ଼ିଛନ୍ତି । ପନିପରିବା ବିକ୍ରି କରି ପରିବାର ଚଳାଉଥିବା କିଶୋରଙ୍କ ପାଇଁ କ୍ୟାନ୍‌ସର୍‌ ରୋଗ ହୋଇଛି କାଳ । ଆଉ ଥରେ ଅପରେସନ୍‌ ପାଇଁ ୩ ଲକ୍ଷ ଟଙ୍କା ଦରକାର ହେଉଥିବା ବେଳେ ତାଙ୍କ ହାତରେ ଆଉ କାଣି କଉଡ଼ି ଟିଏ ବି ନାହିଁ । ଏଭଳି ସ୍ଥିତିରେ ସେ ସରକାର ତଥା ପ୍ରଶାସନ ଏବଂ ଜନସାଧାରଣଙ୍କଠାରୁ ସହାୟତା ପାଇଁ ଗୁହାରୀ କରିଛନ୍ତି । ସୂଚନା ଅନୁସାରେ ପନିପରିବା ବିକ୍ରି କରି କିଶୋର ପରିବାର ପ୍ରତିପୋଷଣ କରୁଥିଲେ । କିନ୍ତୁ ହଠାତ୍‌ ଝାଡ଼ା ଦ୍ୱାରରେ ଯନ୍ତ୍ରଣା ହେବାରୁ ସ୍ଥାନୀୟ ଡାକ୍ତରଙ୍କୁ ଦେଖାଇଲେ । ପାଇଲ୍‌ସ୍‌ ରୋଗ ବୋଲି କହିଥିଲେ ବି ଡାକ୍ତର ତାଙ୍କୁ ଉଚ୍ଚ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ । ଏହା କ୍ୟାନ୍‌ସର୍‌ ରୋଗ ବୋଲି ଜଣାପଡ଼ିବା ପରେ ସେ କଟକ ହରିହର ନର୍ସିଂ ହୋମ୍‌ରେ ଚିକିତ୍ସିତ ହୋଇଥିଲେ । ୬ ମାସ ତଳେ ଅପରେସନ୍‌ କରାଯାଇ ତାଙ୍କର ଝାଡ଼ା ଦ୍ୱାର ବାଏପାସ୍‌ ହୋଇଛି । ଏହି ଅପରେସନ୍‌ରେ ପ୍ରାୟ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ କିଶୋର ସର୍ବସ୍ୱାନ୍ତ ହୋଇ ଯାଇଥିବା ବେଳେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆଉ ଏକ ଅପରେସନ୍‌ ପାଇଁ ପୁଣି ୩ ଲକ୍ଷ ଟଙ୍କା ଆବଶ୍ୟକ ହେଉଥିବା ସେ କହିଛନ୍ତି । ଏବେ ଅସୁସ୍ଥତା କାରଣରୁ ତାଙ୍କ କାମଧନ୍ଦା ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ତାଙ୍କ ସହ ତାଙ୍କର ସ୍ତ୍ରୀ ଏବଂ ତିନି ଝିଅ ବି ଆର୍ଥିକ ଅନାଟନ ଯୋଗୁଁ ଏବେ ଖୁବ୍‌ ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି । ତିନି ଝିଅ ଭଲ ପାଠ ପଢ଼ୁଥିଲେ ବି ଏବେ ତାଙ୍କ ଟ୍ୟୁସନ୍‌ ବନ୍ଦ ହୋଇଯାଇଛି । ଘରେ ଚୁଲି ଜଳିବା ବି ମୁସ୍‌କିଲ୍‌ ହୋଇପଡ଼ିଛି । ଏଭଳି ଅବସ୍ଥାରେ କିଶୋର ସହାୟତା ପାଇଁ ସରକାର ତଥା ଜିଲ୍ଲା ପ୍ରଶାସନ ଓ ସୁହୃଦୟ ବ୍ୟକ୍ତିବିଶେଷଙ୍କୁ ଗୁହାରୀ କରିଛନ୍ତି । ଯେଉଁମାନେ ତାଙ୍କୁ ସହଯୋଗ କରିବାକୁ ଚାହିଁବେ ତାଙ୍କ ମୋବାଇଲ ନଂ.୯୬୬୮୭୭୯୯୧୩ରେ ଯୋଗାଯୋଗ କରିବା ପାଇଁ କିଶୋର ନିବେଦନ କରିଛନ୍ତି ।

Leave A Reply

Your email address will not be published.