om academy

୬୬୨ ବର୍ଗ ମହାବିଦ୍ୟାଳୟର ଗ୍ରନ୍ଥାଗାର ସହାୟକଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ବିରୋଧରେ ସଂଘର ବିଷୋଦ୍‌ଗାର

jsm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନିଖିଳ ଓଡ଼ିଶା ୬୬୨ ବର୍ଗ ମହାବିଦ୍ୟାଳୟର ଗ୍ରନ୍ଥାଗାର ସହାୟକଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ତଥା ପକ୍ଷପାତିତା ନୀତି ବିରୋଧରେ ରାଜ୍ୟସଂଘ ବିଷୋଦ୍‌ଗାର କରିବା ସହ ଦାବୀ ପୂରଣ ନ ହେଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଗ୍ରନ୍ଥାଗାର ସହାୟକମାନେ ଆତ୍ମାହୁତି ଦେବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ସଂଘର ଉପସଭାପତି ପ୍ରଫୁଲ୍ଲ କୁମାର ସେନାପତିଙ୍କ କହିବାନୁଯାୟୀ ୬୬୨ ବର୍ଗ ମହାବିଦ୍ୟାଳୟ ଗ୍ରନ୍ଥାଗାର ସହାୟକମାନେ ଦୀର୍ଘ ତିନି ଦଶନ୍ଧି ଧରି ମାସକୁ ମାତ୍ର ୨ରୁ ୩ ହଜାର ଟଙ୍କା ଦରମାରେ କାର୍ଯ୍ୟ କରି ଆସୁଛନ୍ତି । ସରକାରଙ୍କ ହିସାବ ଅନୁଯାୟୀ ୨୦୧୮ ମସିହା ସୁଦ୍ଧା ଗ୍ରନ୍ଥାଗାର ସହାୟକମାନଙ୍କ ସଂଖ୍ୟା ୨୭୨ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ମରି ହଜି ଗଲେଣି । ସମ୍ପ୍ରତି ସେମାନଙ୍କ ସଂଖ୍ୟା ୨ ଶହରେ ପହଞ୍ଚିଥିବା ବେଳେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ୬୬୨ ବର୍ଗ ମହାବିଦ୍ୟାଳୟମାନଙ୍କୁ ଜିଆଇଏ-୨୦୦୮ରେ ଅନୁଦାନ ପରିସରଭୁକ୍ତ କରାଯାଇଥିଲା । ମାତ୍ର ଏହି ଆଦେଶନାମାରେ କିଛି ଅସଙ୍ଗତ ପରିଲକ୍ଷିତ ହେବାରୁ ସମୟାନୁକ୍ରମେ ତାହାର ନିରାକରଣ କରାଯାଇ ବିଜ୍ଞାନାଗାର ସହାୟକମାନଙ୍କୁ ଅନୁଦାନ ପରିସରଭୁକ୍ତ କରାଯାଇ ସେମାନଙ୍କୁ ସରକାରୀ ଅନୁଦାନ ପ୍ରଦାନ କରାଯାଇ ସାରିଥିଲେ ହେଁ ଏ ନେଇ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ଗ୍ରନ୍ଥାଗାର ସହାୟକମାନଙ୍କ ଦାବୀପ୍ରତି ସରକାର ଅଣଦେଖା କରିବା ସହ ସହାନୁଭୂତି ପ୍ରଦର୍ଶନ କରିବା ଦିଗରେ ଅହେତୁକ ବିଳମ୍ବ ହେଲାଣି ବୋଲି ସଂଘ ପକ୍ଷରୁ ଆରୋପ କରାଯାଇଛି । ପତ୍ରସଂଖ୍ୟା ୧୩୩୦, ତା-୧୫/୦୧/୨୦୧୫ରେ ଲାଇବ୍ରେରୀ ଆଟେଣ୍ଡାଣ୍ଟ ଓ ଲାବୋରେଟୋରୀ ଆଟେଣ୍ଡାଣ୍ଟଙ୍କ ତଥ୍ୟ ପ୍ରଦାନ ନିମନ୍ତେ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ପତ୍ର ଜାରି କରାଯାଇ ଥିବା ବେଳେ ପୁନର୍ବାର ପତ୍ରସଂଖ୍ୟା-୧୧୧୭୨, ତା-୨୧/୦୩/୨୦୧୫ରେ ପତ୍ର ମାଧ୍ୟମରେ ଏହି ଦୁଇ ପଦବୀର ଅର୍ଥ ସଂକ୍ରାନ୍ତୀୟ ତଥ୍ୟ ଯୁଗ୍ମ ସଚିବଙ୍କୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ପ୍ରଦାନ କରିଥିଲେ । ବିଡ଼ମ୍ବନାର ବିଷୟ ଉଚ୍ଚଶିକ୍ଷା ବିଭାଗ ଲାଇବ୍ରେରୀ ଆଟେଣ୍ଡାଣ୍ଟମାନଙ୍କ କଥାକୁ ବିଚାରକୁ ନ ନେଇ କେବଳ ଲାବରେଟୋରୀ ଆଟେଣ୍ଡାଣ୍ଟମାନଙ୍କୁ ଅନୁଦାନ ପ୍ରଦାନ ନିମନ୍ତେ ସଂଶୋଧନ କରି ସେମାନଙ୍କୁ ଅନୁଦାନ ପରିସରଭୁକ୍ତ କରିବା ସରକାରଙ୍କ ଦୋମୁହାଁ ନୀତି ତଥା ପକ୍ଷପାତ ମନୋଭାବକୁ ପଦାରେ ପକାଇଛି ବୋଲି ସଂଘ ଅଭିଯୋଗ କରିଛି । ରାଜ୍ୟ ସରକାର ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସୁବିଧା ନିମନ୍ତେ ପାଠାଗାରର ବ୍ୟବସ୍ଥା କରିଥିବା ବେଳେ ପାଠାଗାର କର୍ମଚାରୀଙ୍କ ପାଇଁ କିଛି ବ୍ୟବସ୍ଥା ନ କରିବା ସରକାରଙ୍କ ବୈମାତୃକ ମନୋଭାବର ଜ୍ୱଳନ୍ତ ନିଦର୍ଶନ ବୋଲି ନିଖିଳ ଓଡ଼ିଶା ୬୬୨ ବର୍ଗ ମହାବିଦ୍ୟାଳୟ ଗ୍ରନ୍ଥାଗାର ସହାୟକ ସଂଘ ଉପସଭାପତି ଶ୍ରୀ ସେନାପତି ଆରୋପ କରିଛନ୍ତି । ଏପରିକି ସରକାର ବୁଲା ଗାଈଗୋରୁ ଓ ପଶୁମାନଙ୍କ ପାଇଁ କୋଭିଡ-୧୯ ସମୟରେ ଅର୍ଥ ବ୍ୟବସ୍ଥା କରୁଥିବା ବେଳେ ଗ୍ରନ୍ଥାଗାର ସହାୟକମାନେ ନିଜର ମୌଳିକ ଦାୟିତ୍ୱ ସମ୍ପାଦନ କରିବା ସହ ନିର୍ବାଚନ ସମୟରେ କାର୍ୟ୍ୟରେ ନିଯୁକ୍ତ ହୋଇ ନିଷ୍ଠାର ସହ କର୍ତ୍ତବ୍ୟ ତୁଲାଇଥିଲେ ହେଁ ସେମାନଙ୍କ ପରିବାର ପ୍ରତି ସରକାରଙ୍କ ତିଳେମାତ୍ର ଅନୁକମ୍ପା ଥିବାଭଳି ପ୍ରତୀତ ହେଉନାହିଁ ବୋଲି ସଂଘ ଅଭିଯୋଗ କରିଛି । ତେବେ ଏ ସଂକ୍ରାନ୍ତରେ ଯଦି ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ଅନୁକୂଳ ପଦକ୍ଷେପ ଗ୍ରହଣ ନ କରନ୍ତି, ତେବେ ଆଗାମୀ ଦିନରେ ସମସ୍ତ ୨ ଶହ ଗ୍ରନ୍ଥାଗାର ସହାୟକ କର୍ମଚାରୀ ସେମାନଙ୍କ ପରିବାର ସହ ରାଜରାସ୍ତାକୁ ଓ ଓହ୍ଲାଇବା ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଆତ୍ମାହୂତି ଦେବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.