
- କୁଞ୍ଜବିହାରୀ ରାଉତଙ୍କୁ ସୁସାମ୍ବାଦିକ ସମ୍ମାନ
ରାଉରକେଲା, (ସସ୍ମିତା ପ୍ରଧାନ) : କଳ୍ପନା ସାହିତ୍ୟ ସଂସ୍କୃତି ଓ ସାମାଜିକ ପରିଷଦ ପକ୍ଷରୁ ‘କୋଟି ଓଡ଼ିଆଙ୍କ ମଉଡମଣି ପ୍ରଭୁ ଜଗନ୍ନାଥ ଗ୍ରନ୍ଥାବଳୀ’ ର ଶୁଭ ଉନ୍ମୋଚନ ସମାରୋହ ଓ ରକ୍ଷାବନ୍ଧନ ଭୁବନେଶ୍ୱର ବୁଲନଭାଇ ସେବା ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସାଧାରଣ ସମ୍ପାଦକ ତଥା କାର୍ଯ୍ୟକ୍ରମର ଆବାହକ ଗୋପାଳଚନ୍ଦ୍ର ଜେନାଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମ ଅଧିବେଶନରେ ମନୋଜ ମଞ୍ଜରୀ ଦେଓ, ଚୈତନ୍ୟ ପ୍ରସାଦ ବେହେରା, ବିଜୟ ପଟ୍ଟନାୟକଙ୍କ ସଂଯୋଜନାରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏହି ଆସରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କବିମାନେ ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ କବିତା ମାନ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଭଗବତୀ ଖଟୁଆ, ଅନୁପମା ବିଶ୍ବାଳ, ଇତିଶ୍ରୀ ପତି, ପର୍ଶୁରାମ ପଣ୍ଡା ପ୍ରମୁଖ ଯୋଗଦେଇଥିବା ବେଳେ ସମୀକ୍ଷକ ଭାବେ କବୀ ସୌଦାମିନୀ ତ୍ରିପାଠୀ ଯୋଗ ଦେଇଥିଲେ । ଦ୍ୱିତୀୟ ଅଧିବେଶନ ଗ୍ରନ୍ଥାବଳୀ ଉନ୍ମୋଚନ ଓ ଆଲୋଚ୍ୟ ବିଷୟ ‘ଜଗତର ନାଥ ପ୍ରଭୁ ଜଗନ୍ନାଥ ‘ ଆଲୋଚନାଚକ୍ରରେ କଟକ ମଧୁସୂଦନ ଆଇନ ମହାବିଦ୍ୟାଳୟର କୂଳସଚିବ ନିରୁପମା ସ୍ୱାଇଁ ଅଧ୍ୟକ୍ଷତା କରିଥିବା ବେଳେ ଉଦଘାଟକ ଭାବେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଶଶଧର ପଣ୍ଡା, ସମ୍ମାନିତ ଅତିଥି ଭାବେ ରାଉରକେଲାର ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ, ସାହିତ୍ୟିକା ବିଜୟଲକ୍ଷ୍ମୀ ସାହୁ, କବି ମାନସୀ ବେହୁରା, କବି ମନୀଷା ରାୟ, ମୁଖ୍ୟବକ୍ତା ଭାବେ କଟକ ଶିଶୁଭବନ ଶିଶୁଶଲ୍ୟ ଚିକିତ୍ସକ ଡାକ୍ତର ବନୋଜ କୁମାର ରାୟ ଓ ବିଶିଷ୍ଟ ବକ୍ତା ଭାବେ ତ୍ରିଲୋଚନ ବରାଳ ଯୋଗଦେଇ ଆଲୋଚ୍ୟ ବିଷୟ ସମ୍ପର୍କରେ ଆଲୋଚନା କରିଥିଲେ । ସମସ୍ତ ଅତିଥି ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ନିଜ ପର ଭିତରେ ପ୍ରଭେଦ ନରଖି ପରୋପକାର କରିବା ହେଉଛି ମଣିଷ ପଣିଆ । ଏହି ବିଶ୍ୱ ଚେତନା ହିଁ ଜଗନ୍ନାଥ ଚେତନା । ଏହା ଓଡ଼ିଆ ସଂସ୍କୃତିରୁ ଭାରତୀୟ ସଂସ୍କୃତିକୁ ଏବଂ ଭାରତୀୟ ସଂସ୍କୃତିରୁ ବିଶ୍ୱ ସଂସ୍କୃତିକୁ ଏକ ମହନୀୟ ଦାନ । ଶ୍ରୀଜଗନ୍ନାଥ ବେଦ ଠାରୁ ଆହୁରି ଉର୍ଦ୍ଧ୍ବରେ । ତାଙ୍କୁ ନିଜର ଭାବି ପାରିଲେ ସେ ଅଧିକ ନିକଟତର ହେବେ । ଏହି ଅବସରରେ ସାମ୍ବାଦିକ କୁଞ୍ଜବିହାରୀ ରାଉତଙ୍କୁ ସୁସାମ୍ବାଦିକ ସମ୍ମାନ ୨୦୨୪, ମୁଖ୍ୟ ଅତିଥି ଶଶଧର ପଣ୍ଡାଙ୍କୁ କଟକ କଳ୍ପନା ଶ୍ରେଷ୍ଠ ସମାଜସେବୀ ସମ୍ମାନ ସହ ମାନସୀ ବେହୁରା, ଇତିଶ୍ରୀ ପତି, ଅନୁପମା ବିଶ୍ୱାଳ, ନୃସିଂହ ଚରଣ ଜେନା, ବିଜୟ କୁମାର ପଟ୍ଟନାୟକ,ମନୋଜ ମଞ୍ଜରୀ ଦେଓଙ୍କୁ ଉପଢୌକନ, ମାନପତ୍ର, ପୁଷ୍ପଗୁଛ ଓ ମେମୋଣ୍ଟୋ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି କବିତା ପାଠ କରିଥିବା ଅନ୍ୟ କବିମାନଙ୍କ ସହ ରାଉରକେଲାର କବି ସସ୍ମିତା ପ୍ରଧାନ ଓ ବିଜୟ କୁମାର ସାହୁଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସମ୍ପାଦକ ଶ୍ରୀ ଜେନା ସଂଯୋଜନା କରିଥିଲାବେଳେ ଅନୁଷ୍ଠାନର କୋଷାଧ୍ୟକ୍ଷ ସୌଭାଗିନୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।