କେର୍ମେଲି ଗ୍ରାମ୍ୟ ଉଦ୍ୟାନ ଘଟଣା : କାଦୁଅ ଫିଙ୍ଗା ନୀତିରେ ଚାଲିଛି ଗାଇସିଲେଟ ବ୍ଲକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଚାଣ୍ଟିପାଲି ଗ୍ରାମ ପଞ୍ଚାୟତ କେର୍ମେଲି ଗାଁରେ ନିମ୍ନମାନରେ ନିର୍ମିତ ଗ୍ରାମ୍ୟ ଉଦ୍ୟାନ ଘଟଣା ଆଜି ଗାଇସିଲେଟ ବ୍ଲକକୁ ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଗ୍ରସ୍ତ ପରେ ଭିନ୍ନମୋଡ ନେଇଛି । ଜିଲ୍ଳାପାଳଙ୍କୁ ଗାଇସିଲେଟ ବିଡ଼ିଓ ଦେଇଥିବା ଚିଠି ଅନୁସାରେ କେର୍ମେଲି ଗାଁରେ ନିର୍ମାଣ ହୋଇଥିବା ନିମ୍ନ ମାନର ଗ୍ରାମ୍ୟ ଉଦ୍ୟାନ ନିର୍ମାଣ ପାଇଁ ସରକାରୀ ସ୍ତରରେ କାହାକୁ କାର୍ଯ୍ୟାଦେଶ ଦିଆଯାଇନାହିଁ କିମ୍ବା ଖର୍ଚ୍ଚ ପାଇଁ ଟଙ୍କା ମଧ୍ୟ ଦିଆଯାଇ ନାହିଁ । ଏହି ନିମ୍ନମାନର ଗ୍ରାମ୍ୟ ଉଦ୍ୟାନଟି କେର୍ମେଲି ଗ୍ରାମ୍ୟ କମିଟି ତରଫରୁ ନିର୍ମାଣ ହୋଇଛି । ହେଲେ ଜିଲ୍ଲାପାଳଙ୍କୁ ବିଡ଼ିଓ ଦେଇଥିବା ଚିଠିକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି କେର୍ମେଲି ଗ୍ରାମବାସୀ । ଆଜି ବରଗଡ଼ ଜିଲ୍ଲାପାଳଙ୍କ ଗାଇସିଲେଟଠାରେ ଅଭିଯୋଗ ଶୁଣାଣି ବେଳେ କେର୍ମେଲି ଗ୍ରାମବାସୀ ବିଡ଼ିଓ ଜିଲ୍ଲାପାଳଙ୍କୁ ଦେଇଥିବା ଚିଠିର ଜବାବରେ ବିଡ଼ିଓଙ୍କ ବିରୁଦ୍ଧରେ ଗ୍ରାମବାସୀଙ୍କ ତରଫରୁ ଏକ ଦରଖାସ୍ତ ଦେଇଛନ୍ତି । ସେହି ଦରଖାସ୍ତ ଗ୍ରାମବାସୀ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, ନିର୍ମାଣ ହୋଇଥିବା ନିମ୍ନମାନର କାମଟି ଗ୍ରାମ୍ୟ କମିଟି କରିନାହାନ୍ତି । ଏହି ନିର୍ମାଣ କାମଟି ବ୍ଲକ ପ୍ରଶାସନ ତରଫରୁ କରାଯାଇଛି । ପରେ ନିର୍ମାଣାଧୀନ ଗ୍ରାମ୍ୟ ଉଦ୍ୟାନକୁ ଜିଲ୍ଲାପାଳ ପରିଦର୍ଶନ ପାଇଁ ଯାଇଥିଲେ ଏବଂ ଏହି କାମ ଯେବେ ବି ହେବ ଏହି ପାଚେରୀକୁ ଭାଙ୍ଗି ନୂତନ ଭାବେ ନିର୍ମାଣ କରିବାକୁ ବିଡ଼ିଓଙ୍କୁ ଆଦେଶ ଦେଇଥିଲେ । ସରକାରୀ କାର୍ଯ୍ୟାଦେଶ ପାଇ ନିର୍ମାଣ ହେଉ କିମ୍ବା ଅନ୍ୟ କିଏ ନିଜସ୍ଵ ପାଣ୍ଠିରୁ ନିର୍ମାଣ କରୁ ଏହି ପଞ୍ଚାୟତରେ କାର୍ଯ୍ୟରତ ଥାଇ ମଧ୍ୟ ସ୍ଥାନୀୟ କାର୍ଯ୍ୟନିର୍ବାହୀ ଅଧିକାରୀ କେମିତି ଜାଣିପାରିଲେ ନାହିଁ ? ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ପାଇଁ ଜିଲ୍ଲାପାଳ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୟରେ ଯେଉଁ ତଥ୍ୟ ସାମ୍ନାକୁ ଆସିଥିଲା ସେଥିରେ ଗାଁ ସାଥୀଙ୍କ ସ୍ୱାମୀ ପଞ୍ଚାନନ ସୁନାଙ୍କ ମନ୍ତବ୍ୟ ଅନୁସାରେ ସେ ସମୟରେ ସେ ନିଜେ ଏହି ନିର୍ମାଣ କାମକୁ ଦେଖାରେଖା କରୁଥିଲେ ଏବଂ ଏହି ନିମ୍ନମାନର ଗ୍ରାମ୍ୟ ଉଦ୍ୟାନ ନିର୍ମାଣରେ ପ୍ରତ୍ୟକ୍ଷ ଭାବେ ସ୍ଥାନୀୟ ସରପଞ୍ଚ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଶ୍ଳିଷ୍ଟ ଥିଲେ ।

Leave A Reply

Your email address will not be published.