ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଅବସ୍ଥା ଶୋଚନୀୟ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଗ୍ରାମ୍ୟ ଉନ୍ନୟନ ବିଭାଗର ରକ୍ଷଣା ବେକ୍ଷଣର ଅଭାବରୁ ଦାରିଙ୍ଗବାଡ଼ି ଠାରୁ ପର୍ତ୍ତମାହା ପର୍ଯ୍ୟନ୍ତ ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କଟି ବର୍ତ୍ତମାନ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି । ରାସ୍ତାସାରା ଖାଲଖମାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବ୍ଲକ କାର୍ଯ୍ୟାଳୟ ଦେଇ ଗ୍ରୀନବାଡ଼ି ଓ ପର୍ତ୍ତମାହା ଗ୍ରାମ ପଞ୍ଚାୟତ ମହକୁମା ଯାଏ ଏହି ରାସ୍ତା ରହିଛି । ପର୍ତ୍ତମାହା ପଞ୍ଚାୟତର ପ୍ରାୟ ୧୦ ହଜାରରୁ ଅଧିକ ଲୋକ ଗମନାଗମନ ପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ଦାରିଙ୍ଗବାଡ଼ି ବଜାରରୁ ବ୍ଲକ୍ ଅଫିସ ଆସିବାକୁ ହେଲେ ଲୋକଙ୍କୁ ଏହି କଦର୍ଯ୍ୟ ରାସ୍ତା ଦେଇ ହିଁ ଆସିବାକୁ ପଡ଼ିଥାଏ । ଏଭଳି ଭାବେ ଗ୍ରୀନବାଡ଼ି ଓ ପର୍ତ୍ତମାହା ପଞ୍ଚାୟତର କୌଣସି ଗ୍ରାମକୁ ଗଲେ ଏହି ରାସ୍ତା ଦେଇ ଯିବାକୁ ପଡ଼ିଥାଏ । ହେଲେ ରାସ୍ତା ସାରା ଖାଲଖମା ହୋଇଥିବାରୁ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ଅଭିଯୋଗ ହେଉଛି । ରାସ୍ତା ଖରାପ ଥିବା ଯୋଗୁଁ ଅନେକ ସମୟରେ କାହାରି ଦେହ ଖରାପ ହେଲେ ସଠିକ୍ ସମୟରେ ଆମ୍ବୁଲାନ୍ସ ବି ପହଞ୍ଚି ପାରୁନଥିବା ଅଭିଯୋଗ ହେଉଛି । ରାସ୍ତା ଖରାପ ଯୋଗୁଁ ଏହି ରାସ୍ତାରେ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟୁଥିବା ସୂଚନା ରହିଛି । ଅଞ୍ଚଳବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ବେ ଆଜି ପର୍ଯ୍ୟନ୍ତ ରାସ୍ତାଟିର ମରାମତି ହୋଇ ପାରିନାହିଁ ବୋଲି ଅଭିଯୋଗ ହେଉଛି । ଯଥାଶୀଘ୍ର ଉକ୍ତ ରାସ୍ତାର ମରାମତି କରାନଯାଏ ତାହା ହେଲେ ଆଗାମୀ ଦିନରେ ଦୁଇ ପଞ୍ଚାୟତବାସୀ ଆନ୍ଦୋଳନ କରିବେ ବୋଲି ପର୍ତ୍ତମାହା ସରପଞ୍ଚ ଫଗୁ ପ୍ରଧାନ ଓ ଗ୍ରୀନବାଡ଼ି ସରପଞ୍ଚ ସଞ୍ଜୟ ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.