oom

ପ୍ରଶାସନର ଅବହେଳା : ଗ୍ରାମବାସୀ ତିଆରିଲେ ରାସ୍ତା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗ୍ରାମମାନଙ୍କୁ ସହର ମୁଖ୍ୟ ସ୍ରୋତ ସହ ଯୋଡିବା ପାଇଁ ସରକାର ବହୁ ପ୍ରକାର ଯୋଜନା ମାନର ବ୍ୟବସ୍ଥା କରୁଛନ୍ତି । ଏହା ସହ କୋଟି କୋଟି ଟଙ୍କାର ବଜେଟ ପ୍ରତି ବର୍ଷ ଏହି ଯୋଜନାମାନଙ୍କୁ କାର୍ଯ୍ୟକାରୀ କରିବା ପାଇଁ ଖର୍ଚ୍ଚ ହେଉଛି, କିନ୍ତୁ ବର୍ତ୍ତମାନ ମଧ୍ୟ ବହୁ ଗ୍ରାମକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ । ଏହାର ମୁଖ୍ୟ ଉଦାହରଣ ହେଉଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପଲସେନ ଗ୍ରାମ । ଗ୍ରାମର ଜନ ସଂଖ୍ୟା ପ୍ରାୟ ୭୦୦ରୁ ୮୦୦ । ଏଠାକାର ପ୍ରାୟ ଲୋକ ଚାଷ ବାସ କିମ୍ବା ମଜୁରୀ କରି ନିଜର ଗୁଜୁରାଣ ମେଣ୍ଟାଇ ଥାନ୍ତି । ହେଲେ ଦୀର୍ଘ ୨ବର୍ଷ ହେବ ଗ୍ରାମକୁ ଭଲ ରାସ୍ତା ଖଣ୍ଡେ ପାଇଁ ବାରମ୍ବାର ସ୍ଥାନୀୟ, ସରପଞ୍ଚ, ବିଧାୟକଙ୍କଠୁ ନେଇ ବିଭିନ୍ନ ଅଧିକାରୀଙ୍କ ଦ୍ୱାରସ୍ଥ ହେବା ପରେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅନ୍ୟପଟେ ପଦ୍ମପୁର ସଦର ମହକୁମାରୁ ମାତ୍ର ପ୍ରାୟ ୧୬ କିଲୋ ମିଟର ଦୂର ହୋଇଥିବା ବେଳେ ଅଧିକାରୀଙ୍କ ଆଖି ଦୃଷ୍ଟିକୁ କିଭଳି ଲୋକଙ୍କ ସମସ୍ୟା ଗୋଚର ହୋଇପାରୁନାହିଁ, ତାହା ଭଗବାନଙ୍କୁ ଜଣା ବୋଲି ଲୋକେ କହିଥିବା ବେଳେ ଗତ କିଛି ଦିନ ହେବ ରାସ୍ତା କାମ ପାଇଁ ବ୍ଲକ ତରଫରୁ ମେଟାଲ ଓ ମୁରୁଙ୍ଗ ରାସ୍ତା ଉପରେ ପକାଯାଇଥିଲା । ଏନେଇ ରାସ୍ତାର କିଛିଟା ଉନ୍ନତି ପାଇଁ ଲୋକେ ଆସ୍ୱସ୍ଥ ହୋଇଥିବା ବେଳେ ଦୀର୍ଘ ଦିନ ଧରି କାମ ନ ହେବାରୁ ରାସ୍ତା ଅବସ୍ଥା ଆହୁରି ଶୋଚନୀୟ ହୋଇପଡିଛି । ଆଗରୁ କେବଳ ଖାଲ ଏବଂ ଗାଡରେ ରାସ୍ତା ଭରି ରହିଥିବା ବେଳେ ରାସ୍ତା କାମ ପାଇଁ ଜିନିଷ ପକାଇ କାମ ନ ହେବାରୁ ବର୍ତ୍ତମାନ ବର୍ଷା ଯୋଗୁଁ କାଦୁଅରେ ଭର୍ତ୍ତି ହେବା ସହ ଯିବା ଆସିବା ବେଳେ ଗାଡି ଚକ ସ୍ଲିପ କରି ଲୋକେ ଦୁର୍ଘଟଣାଗ୍ରସ୍ତ ମଧ୍ୟ ହେଉଛନ୍ତି ।

ଏନେଇ ଗ୍ରାମର ଯୁବ ଗୋଷ୍ଠୀ କ୍ଷମାନିଧି ମହାକୁର, କୈଳାଶ ଜାଲ, ଯୋଗେନ୍ଦ୍ର ସେଠ, ଲିଙ୍ଗରାଜ ପ୍ରଧାନ, ହେମ ସାଗର ବାରିକ, ପ୍ରକାଶ ବାରିକ, ଦିନେଶ ବାରିକ, ଚନ୍ଦ୍ରଭାନୁ ପ୍ରଧାନ, ସୁଶାନ୍ତ ପ୍ରଧାନ, ଚିନ୍ତା ବାରିକ, ନେପାଳ ସାମାନୀ, ଦିଲିପ ବାରିକ, ପ୍ରତାପ ଥପା, ଜୟନ୍ତ ଦାସ ପ୍ରମୁଖଙ୍କ ତରଫରୁ ନିଜେ ଗ୍ରାମ ରାସ୍ତା ନିର୍ମାଣ କରାଯାଇଛି । ପାଇକମାଲ ବ୍ଲକ ଚ୍ୟାରମେନ ଅଲତାଫ ମହମ୍ମଦଙ୍କ ଉପସ୍ଥିତିରେ ରାସ୍ତା ମଝିରେ ପଡିଥିବା ମେଟାଲ ମୁରୁଙ୍ଗକୁ ସମାନ କରି ନିଜ ହିସାବରେ ନିଜ ଗ୍ରାମକୁ ରାସ୍ତା ନିର୍ମାଣ କରିଛନ୍ତି ଲୋକେ । ଅନ୍ୟପଟେ ସ୍ଥାନୀୟ ସରପଞ୍ଚ କାର୍ଯ୍ୟ ହାତକୁ ନେଇ ଶେଷ ନକରିବାରୁ ଏହି ଅସୁବିଧା ହୋଇଥିବା ସହ ଏହା ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପାଇକମାଲ ବ୍ଲକ ଚ୍ୟାରମେନ ଅଲତାଫ ମହମ୍ମଦ କହିଛନ୍ତି । ଦେଖିବାକୁ ବାକି ରହିଲା ଆଗକୁ ଯୋଜନାଗୁଡିକର ବାଟ ମାରଣ କେବେ ବନ୍ଦ ହେବ ଏବଂ ଲୋକଙ୍କର ଚିନ୍ତା ଦୂର ହେବ । ଏହା ପ୍ରତିସାଧାରଣରେ ବରଗଡ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

jittmm
Leave A Reply

Your email address will not be published.