କେସିଙ୍ଗା, (ପ୍ରୀତେଶ ପଟେଲ) : ସରକାର ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା କରୁଛନ୍ତି କିନ୍ତୁ ତାହା ଗ୍ରାଉଣ୍ଡ ଜିରୋରେ ଦୂର ଦୂରାନ୍ତ ପର୍ଯ୍ୟନ୍ତ ଦିଶୁନାହିଁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ହାତିଖୋଜ ପଞ୍ଚାୟତ ଅଧୀନରେ ଥିବା ସୀଙ୍ଗାରି ବାହାଲ ଗ୍ରାମରେ । ୧୯୬୬ ମସିହାରେ ସୀଙ୍ଗାରି ବାହାଲ ଗ୍ରାମରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ହୋଇଥିଲା । ଯେଉଁଥିରେ ବର୍ତ୍ତମାନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ୫୯ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । କିନ୍ତୁ ଏହି ୫୯ ଜଣ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ଶିକ୍ଷକ ନଥିବା ଯୋଗୁଁ ଛାତ୍ରଛାତ୍ରୀମାନେ ଠିକ୍ ଭାବରେ ପାଠ ପଢି ପାରୁନାହାନ୍ତି । ଜଣେ ପ୍ରଧାନଶିକ୍ଷକଙ୍କ ସମେତ ଅନ୍ୟ ଦୁଇ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଛନ୍ତି । ତିନି ଜଣ ଶିକ୍ଷକ ଠିକ୍ ଭାବରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଉ ନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ଦୁଇ ଶିକ୍ଷକଙ୍କ ବଦଳି କରି ନୂତନ ଦୁଇ ଶିକ୍ଷକ ସମେତ ଅନ୍ୟ ଦୁଇ ଜଣ ଗଣିତ ଓ ଇଂରାଜୀ ଶିକ୍ଷକଙ୍କୁ ସ୍କୁଲକୁ ପ୍ରଦାନ କରାଯାଉ ବୋଲି ସୀଙ୍ଗାରି ବାହାଲ, ପିଟାପଡ଼ା, କେନ୍ଦୁମୁଣ୍ଡି ଓ କର୍ଲା ଗ୍ରାମବାସୀମାନେ ସ୍କୁଲ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ଡାକରା ଦେଇଥିଲେ । ଗତ ସେପଟେମ୍ବର ୨୫ ତାରିଖରେ ଅଭିଭାବକମାନେ ସ୍କୁଲ ସମ୍ମୁଖରେ ଧାରଣାରେ ବସିବା ପରେ ଶିକ୍ଷା ବିଭାଗ ପ୍ରତିଶ୍ରୁତି ଦେଇଥିଲା କିନ୍ତୁ ପ୍ରତିଶ୍ରୁତି ଦେଇ ଠକି ଦେଲା ଶିକ୍ଷା ବିଭାଗ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେଣୁ ବର୍ତ୍ତମାନ ଯେତେଦିନ ପର୍ଯ୍ୟନ୍ତ ନୂତନ ଶିକ୍ଷକ ପ୍ରଦାନ ନ କରାଯାଇଛି ସେତେଦିନ ପର୍ଯ୍ୟନ୍ତ ସ୍କୁଲ ସମ୍ମୁଖରେ ଧାରଣାରେ ବସିବୁ ବୋଲି ଗ୍ରାମବାସୀମାନେ ଶିକ୍ଷା ବିଭାଗକୁ ଚେତାବନୀ ଦେଇଛନ୍ତି । ସେପଟେ ଶିକ୍ଷକମାନେ ଦରମା ବୃଦ୍ଧି ପାଇଁ ରାଜଧାନୀରେ ଆନ୍ଦୋଳନ କରୁଛନ୍ତି କିନ୍ତୁ ତାଙ୍କର ମୌଳିକ ଅଧିକାର ପିଲାଙ୍କୁ ପାଠ ପଢାଇବା ଭୁଲି ଯାଇଛନ୍ତି । ଆଗାମୀ ଦିନରେ ଦେଖିବାକୁ ବାକି ରହିଲା ନୂତନ ଶିକ୍ଷକ ଦେବେ ନା ଦେବୁ ଦେବୁ କହି ଭୁଲି ଯିବେ ।