ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନୂତନ ଭାବେ ଗଞ୍ଜାମ ଜିଲ୍ଲାପାଳ ୱି.କୀର୍ତ୍ତି ଭାସନ୍ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ଏଠାରେ ତାଙ୍କରି କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ ସେ ଗଞ୍ଜାମ ଜିଲ୍ଲାର ଆରାଧ୍ୟଦେବୀ ତଥା ବିଶ୍ଵବନ୍ଦନୀୟା ମା’ ତାରାତାରିଣୀଙ୍କ ପ୍ରଥମେ ଦର୍ଶନ କରିଛନ୍ତି । ମା’ ତାରାତାରିଣୀଙ୍କ ଦର୍ଶନ କରିବା ପୂର୍ବକ ପୀଠରେ ନିଜ ପରିବାରର ମଙ୍ଗଳ କାମାନାର୍ଥେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରି ଫେରିବା ପରେ ସେ ଗଞ୍ଜାମ ଜିଲ୍ଲା କଲେକ୍ଟ୍ରେଟ୍ ରେ ପହଞ୍ଚି ନିଜର ସରକାରୀ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ପରେ ସମସ୍ତ ବର୍ଗର ପଦାଧିକାରୀ, ଅଫିସିଆଲ୍ ଷ୍ଟାଫଙ୍କ ତରଫରୁ ତାଙ୍କୁ ଉଚ୍ଛ୍ୱସୀତ ପୁଷ୍ପ ଗୁଚ୍ଛର ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସୂଚନା ଯୋଗ୍ୟଯେ’ ୨୦୧୮ ବ୍ୟାଚ୍ର ଆଇ.ଏ.ଏସ୍. କୀର୍ତ୍ତି ଭାସନ୍ କୋରାପୁଟ ଜିଲ୍ଲାପାଳ ଥାଇ ଏଠାକୁ ବଦଳି ହୋଇ ଆସିଥିବା ବେଳେ ପୂର୍ବରୁ ମଧ୍ୟ ଗଞ୍ଜାମ ଜିଲ୍ଲାରେ ଆଇଏଏସ୍ ପ୍ରୋବିସନାରି ରହିବା ସହ ବ୍ରହ୍ମପୁର ଉପ-ଜିଲ୍ଲାପାଳ ଓ ଗଞ୍ଜାମ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ଦାୟିତ୍ୱ ସୂଚାରୁ ରୂପେ ତୁଲାଇ ଆସିଥିଲେ । ଗଞ୍ଜାମ ଜିଲ୍ଲାର ପୂର୍ବ ଅନୁଭୂତି ସମ୍ପର୍କରେ ପ୍ରତିପାଦନ କରି ଏହାକୁ ଯଥେଷ୍ଟ ଗୁରୁତ୍ଵର ସହ କାର୍ଯ୍ୟ କରିବେ ବୋଲି ସେ ପ୍ରତିଶୃତି ଦେଇଛନ୍ତି । ଗଞ୍ଜାମ ଜିଲ୍ଲାରେ ଏଣିକି ପ୍ରତି ବ୍ଲକ୍ସ୍ତରୀୟ ଜନଶୁଣାଣିର ଆୟୋଜନ କରାଯିବା ବ୍ୟବସ୍ଥାକୁ ଗୁରୁତ୍ୱାରୋପ କରିଛନ୍ତି । ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଓ ସମାୟାନୁବର୍ତ୍ତିତା ଅବଲମ୍ବନ ସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଆଣିବେ ବୋଲି ଗଣମାଧ୍ୟମ ଆଗରେ ମତବ୍ୟକ୍ତ କରିଛନ୍ତି । ଜନସାଧାରଣଙ୍କ ନିକଟରୁ ଆସୁଥିବା ଅଭିଯୋଗଗୁଡିକ ତୁରନ୍ତ ସମାଧାନ କରିବାକୁ ପ୍ରାଥମିକତା ରହିବ ଏବଂ । ବିଭିନ୍ନ ବିକାଶମୂଳକ ଯୋଜନାଗୁଡ଼ିକ ଯେପରି ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା, ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବା ଉପରେ ଅଧିକ ଫୋକସ ରହିବ ବୋଲି ଜିଲ୍ଲାପାଳ କୀର୍ତ୍ତି ଭାସନ୍ କହିଛନ୍ତି । ଜିଲ୍ଲାରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପ ଯେପରି ସଠିକ୍ ସମୟରେ ଶେଷ ହେବ ସେଥିପ୍ରତି ଧାନ୍ ଦିଆଯିବ ବୋଲି ଦୃଢ଼ତାର ସହ ପ୍ରକାଶ କରିଛନ୍ତି । ସର୍ବୋପରି ଗଞ୍ଜାମ ଜିଲ୍ଲା କଲେକ୍ଟ୍ରେଟରେ ପୂର୍ବରୁ ଅବସ୍ଥାପିତ ଥିବା ଜଣେ ପୁରୁଣା ଆଇଏଏସ୍ଙ୍କ ପୁନରାବୃତ୍ତି ସ୍ଥାନ ହାସଲ ହୋଇଥିବା ନେଇ ପ୍ରଶାସନିକ ମହଲରେ ଏବଂ ବିଭିନ୍ନ ମହଲରେ ଖୁସିର ବାତାବରଣ ସୃଷ୍ଟି କରିଥିବା ଜଣାଯାଇଛି ।

Prev Post