ଗୋକର୍ଣ୍ଣିକାର ସମାବର୍ତ୍ତନ ଉତ୍ସବରେ ରାଉରକେଲାର ୪ ଜଣ ସମ୍ବର୍ଦ୍ଧିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଗୋକର୍ଣ୍ଣିକା ସାହିତ୍ୟାନୁଷ୍ଠାନ ତରଫରୁ ଜାରକା ସ୍ଥିତ ସିଭିକ ସେଣ୍ଟରଠାରେ ୪୭ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ରାଉରକେଲାର ୪ଜଣ ବିଶିଷ୍ଟ ସାରସ୍ୱତ ସାଧକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଯାହା ସହରବାସୀଙ୍କୁ ଆହ୍ଲାଦିତ କରିଛି । ଏହି ସମାବର୍ତ୍ତନ ଉତ୍ସବରେ ପ୍ରବନ୍ଧ ପାଇଁ ଅଧ୍ୟାପିକା ଡଃ ଦୀପ୍ତିମୟୀ ବେହେରାଙ୍କୁ ‘ଗୋକର୍ଣ୍ଣିକା ଲେଖିକା ସମ୍ମାନ’, ବାଗ୍ମୀତା ପାଇଁ ପ୍ରାକ୍ତନ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର କୁମାର ପଟ୍ଟନାୟକଙ୍କୁ ‘ଗୋକର୍ଣ୍ଣିକା ବାଗ୍ମୀ ସମ୍ମାନ’ ଗଳ୍ପ ପାଇଁ ଗାଳ୍ପିକ ଆର୍ତ୍ତତ୍ରାଣ ମହାପାତ୍ରଙ୍କୁ ‘ଗୋକର୍ଣ୍ଣିକା ଗଳ୍ପ ସମ୍ମାନ’ ଓ ନାଟକ କ୍ଷେତ୍ର ପାଇଁ ପ୍ରଫେସର ଡଃ ସମର ମୁଦାଲିଙ୍କୁ ‘ଗୋକର୍ଣ୍ଣିକା ନାଟକ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ସମସ୍ତ ସମ୍ବର୍ଦ୍ଧିତ ବ୍ୟକ୍ତିଙ୍କୁ ମାନପତ୍ର, ପୁଷ୍ପଗୁଛ, ଉପଢୌକନ ଓ ମୋମେଣ୍ଟୋ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଗୋକର୍ଣ୍ଣିକା ସାହିତ୍ୟାନୁଷ୍ଠାନର ସଭାପତି ରମାକାନ୍ତ ଜେନାଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ହୃଷିକେଶ ସାମଲଙ୍କ ଆବାହକତ୍ୱରେ ଆୟୋଜିତ ଏହି ସମାବର୍ତ୍ତନ ଉତ୍ସବରେ ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ର ମୁଦ୍ରାକର ତଥା ପ୍ରକାଶକ ନିରଞ୍ଜନ ରଥ ଉଦ୍‌ଘାଟକ ଭାବେ, ପ୍ରାକ୍ତନ ପ୍ରଶାସକ ତଥା କବି ରବିନାରାୟଣ ସେନାପତି ମୁଖ୍ୟ ଅତିଥି ଓ ଶିଶୁ ସାହିତ୍ୟିକା ଡଃ ମନୋରମା ବିଶ୍ବାଳ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାରସ୍ୱତ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Leave A Reply

Your email address will not be published.