ବଲାଙ୍ଗିର ସହରରେ ଝଲସୁଛି ଗୀତ ଘର

ବଲାଙ୍ଗିର, (କେପିଏନ୍‌ଏସ୍‌) : କବିଙ୍କ ଚିନ୍ତା ଚେତନା ସବୁବେଳେ ନିଆରା । ଧାଡ଼ିଏ କବିତାରେ, ଗୀତରେ ଜୀବନକୁ ଜିଇଁନେବାର୍‌ ପ୍ରଗଳ୍‌ଭ ଆବେଗରେ ସଦା ଛଳ ଛଳ କବିଙ୍କ ହୃଦୟ । ଆଜି ଜଣେ ଏଭଳି କବିଙ୍କୁ ଆମେ ଭେଟିବା ଯାହାଙ୍କ କେବଳ ହୃଦୟ ନୁହେଁ, ତାଙ୍କ ଘରର କାନ୍‌ଥ ବାଡ଼ରେ ବି ଧାଡ଼ି ଧାଡ଼ି ଜୀବନ ପରିସି ପାରୁଥିବା ଗୀତ, କବିତା । ‘କଳାକାର ହୋଇ ବଞ୍ଚିବା ଯାହାର ଭାଗ୍ୟରେ ଅଛି ଲେଖା, ଦୁଃଖର ଅନଳେ ଜଳିଲେ ବି ତାର ହସ ପଡ଼େ ନାହିଁ ଫିକା’ । ଏଭଳି ଏକପଦୀ ଗୀତି କବିତା ପାଇଁ ଚର୍ଚ୍ଚିତ କବି ନିଗମ ନାଥ । ନିଗମ, ଜଣେ ନିଆରା କବି ପୁଣି କଳାକାର । ଫଟୋ, ମାନପତ୍ର, ଫଳକ, ଟ୍ରଫି ଆଦିର ଡିଜାଇନିଂ କାମରେ ବି ବେଶ୍‌ ସିଦ୍ଧହସ୍ତ ନିଗମ । ତାଙ୍କ ରୁଚି ଏବଂ କାର୍ଯ୍ୟଶୈଳୀରେ ଏକ ସ୍ୱତନ୍ତ୍ରତା ସବୁବେଳେ ଅନୁଭବ ହୁଏ । ଏବେ ନିଜ ଘରକୁ ଭିନ୍ନ ଡିଜାଇନରେ ପ୍ରସ୍ତୁତ କରିଛନ୍ତି ନିଗମ । ଘର କାନ୍ଥରେ ଖୋଦେଇ କରି ଲେଖିଛନ୍ତି ଜୀବନ ଜଞ୍ଜାଳ, ପ୍ରେମ ପ୍ରଣୟର ଏକାଧିକ ଏକପଦୀ କବିତା । ନିଜ ଘରର ନାଁ ରଖିଛନ୍ତି ‘ଗୀତ ଘର’ । ବଲାଙ୍ଗିର ଗାନ୍ଧୀନଗର-ହାଟପଦାପଡ଼ା ରାସ୍ତାରେ ରହିଛି ନିଗମଙ୍କ ସ୍ୱପ୍ନର ଘର ‘ଗୀତ ଘର’ । ଘରର ସାମ୍ନା ଉପର ମହଲା କାନ୍ଥରେ ପ୍ରାୟ ୯ଟି ଏକପଦୀ କବିତା ଗ୍ରାନାଇଟ୍‌ ପଥରରେ ଖୋଦେଇ ହୋଇଛି । ସେଥିରେ ପ୍ରେମ, ଶ୍ରଦ୍ଧା, ସଂଘର୍ଷ, ସମୟଚକ୍ର, ସ୍ୱପ୍ନମୟ ରାତି, କଳାକାର ଜୀବନ ଏବଂ ମୃତ୍ୟୁର ସତ୍ୟ ଭଳି ଅନେକ ଭାବ ଜୀବନ ପାଇଛି । କେବଳ ଗୀତି କବିତା ନୁହେଁ, ଘରର ସାମ୍ନା, ଭିତର, ଛାତ ଆଦିରେ ମଧ୍ୟ ସେ ବିଭିନ୍ନ ଲୋକକଳାକୁ ଜୀବନ୍ତ କରିଛନ୍ତି । ଆଦିମ ଲୋକକଳା ଓ ଲୋକସଂଗୀତର ଅନେକ ଦୃଶ୍ୟକୁ ସେ ଗୀତଘରେ ସ୍ଥାନ ଦେଇଛନ୍ତି । ନିଗମ କଳାକାର ଭାବ ଆବେଗ ନେଇ ବଞ୍ଚୁଥିବା ଜଣେ ମଣିଷ । ତେଣୁ ଘର ତିଆରି ପାଇଁ ଦେଶଯାକ ବୁଲିବୁଲି ବିଭିନ୍ନ ସ୍ଥାନରୁ ନିଜ ଡିଜାଇନ୍‌ ପାଇଁ ଆବଶ୍ୟକ ସାମଗ୍ରୀ କିଣିଛନ୍ତି । ଘରନିର୍ମାଣ ଖର୍ଚ୍ଚ ଅପେକ୍ଷା ‘ଗୀତ ଘର’ ଡିଜାଇନରେ ତାଙ୍କର ଅଧିକ ଖର୍ଚ୍ଚ ହୋଇଛି । କିନ୍ତୁ ଖର୍ଚ୍ଚ ଅଧିକ ହୋଇଥିଲେ ବି ଗୀତଘର ତାଙ୍କ କଳାକାର ଜୀବନର ସନ୍ତକ । ‘ଗୀତ ଘର’ ତାଙ୍କୁ ପ୍ରଚୂର ଉତ୍ସାହ ପ୍ରଦାନ କରିବ ଓ ଅନ୍ୟକୁ ବଂଚିବାରେ ପ୍ରେରଣା ଯୋଗାଇବ ବୋଲି ସେ କୁହନ୍ତି । ରାସ୍ତାରେ ଯାଉଥିବା ପଥଚାରୀମାନେ ଗୀତଘରକୁ ଦେଖି ଆଶ୍ଚର୍ଯ୍ୟ ହେବା ସହ ଏଭଳି ପ୍ରୟାସକୁ ସ୍ୱାଗତ କରିଛନ୍ତି ।

Leave A Reply

Your email address will not be published.