
ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଜାମରାଗୁଡ଼ା ନିକଟରୁ ୬ କ୍ଵିଣ୍ଟାଲ ୪୦ କେ.ଜି ଗଞ୍ଜେଇ ଜବତ କରିବା ସହ ୪ ମାଫିଆ ଗିରଫ । ସୂଚନାନୁଯାୟୀ, ରବିବାର ରାତିରେ ବିଶେଷ ସୂତ୍ରରୁ ଖବର ପାଇ ଏସଡିପିଓ ଆକାଶ ଚନ୍ଦ୍ର ସାହୁଙ୍କ ସମେତ ମୁନିଗୁଡ଼ା ପୋଲିସର ଏକ ଟିମ୍ ମୁନିଗୁଡ଼ାର ସମସ୍ତ ପ୍ରବେଶ ପଥକୁ ସିଲ କରି ତନଖି ଆରମ୍ଭ କରିଥିଲେ । ଏହି ସମୟରେ ଜାମରାଗୁଡ଼ା ନିକଟରେ ଏକ ଏକ୍ସୟୁଭି ୫୦୦ ନମ୍ଵର ବିଶିଷ୍ଟ ଏକ କାର୍ ସହ ଏକ ଗଞ୍ଜେଇ ବୋଝେଇ ଟ୍ରକ୍ ପୋଲିସକୁ ଚକ୍ମା ଦେଇ ଦ୍ରୁତ ଗତିରେ ଯିବାକୁ ଚେଷ୍ଟା କରୁଥିଲା । ହେଲେ ପୋଲିସ ଗଞ୍ଜେଇ ବୋଝେଇ ଟ୍ରକ୍ ସହ ୪ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏହା ସହ ଏକ କାର୍ ଜବତ ହୋଇଛି । ଟ୍ରକ୍ଟିକୁ ଯାଞ୍ଚ୍ କରିବାରୁ ଏହା ଭିତରୁ ୬ କ୍ଵିଣ୍ଟାଲ ୪୦ କେ.ଜି ଗଞ୍ଜେଇ ଜବତ ହୋଇଛି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୬୦ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି । ଏହି ଗଞ୍ଜେଇ କୋରାପୁଟରୁ ଦିଲ୍ଲୀ ଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଆଜି ଅପରାହ୍ନରେ ଏ ସମ୍ପର୍କରେ ସମସ୍ତ ତଥ୍ୟ ଦିଆଯିବ ବୋଲି ଏସ୍ଡିପିଓ କହିଛନ୍ତି ।