ଗଞ୍ଜେଇ ଚୋରା ଚାଲାଣ ଲିଙ୍କ : ୱେବ ସାମ୍ୱାଦିକ ଗିରଫ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : କଣ୍ଟେନରରେ ଗଞ୍ଜେଇ ଚୋରା ଚାଲାଣ ଲିଙ୍କରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ମହୁଲବାହାଲି ଗ୍ରାମର ୱେବ ସାମ୍ୱାଦିକ ପ୍ରଶାନ୍ତ ପ୍ରଧାନକୁ ଗିରଫ କରିଛି ସୋନପୁର ପୁଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ନାରାୟଣ ନାଏକ । ସୂଚନାଯୋଗ୍ୟ ଯେ ଗତ ଜାନୁଆରି ୧୮ ତାରିଖ ଦିନ ଏକ କଣ୍ଟେନର (ଏନ୍‌ଏଲ୍ ୦୧ ଏନ୍ ୬୯୧୪) ରେ ଉକ୍ତ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୁଲିସ ଦୁର୍ଦୁରାସ୍ଥିତ ନର୍ସରି ସମ୍ମୁଖରେ ଅଟକାଇଥିଲା । ଯାଞ୍ଚ କରିବାରୁ କଣ୍ଟେନରରୁ ୫ କୁଇଣ୍ଟାଲ ୯୩ କେଜି ଗଞ୍ଜେଇ ପାଇଥିଲା । ସମସ୍ତ ଗଞ୍ଜେଇ ଡ୍ରାଇଭର ପଛପଟ କ୍ୟାବିନରେ ଅଭିନବ ଉପାୟରେ ପୁରା ସିଲ୍ କରି ରଖାଯାଇଥିଲା । ଗଞ୍ଜେଇ ମନମୁଣ୍ଡା ବୌଦ୍ଧ ଏନଏଚ -୫୭ ରାସ୍ତାକଡ ଲୋପା ଢାବା ନିକଟବର୍ତ୍ତୀ ସ୍ଥାନରୁ ଲୋଡ ହୋଇ ସୋନପୁର ପୁଲିସକୁ ଫାଙ୍କିବା ପାଇଁ ବୌଦ୍ଧ – କଦଳିଗଡ – ସୁବଳୟା ବୀରମହାରାଜପୁର ରାସ୍ତାଦେଇ ସମ୍ବଲପୁର ଦେଇ ଝାଡଖଣ୍ଡକୁ ଚାଲାଣ ହେଉଥିବା ଅଭିଯୁକ୍ତମାନେ ପୁଲିସକୁ କହିଥିଲେ । ସେତେବେଳେ ବିହାର ରାଜ୍ୟର ଭୋଜପୁର ଜିଲ୍ଲା ସାହାପୁର ଥାନା ଅନ୍ତର୍ଗତ ସୋନାବର୍ଷା ଗ୍ରାମର ଅନିଲ ଯାଦବ (୨୮) ଓ ଝାଡଖଣ୍ଡ ରାଜ୍ୟ ଝରିଆ ଥାନାର ବିନୁ ମହ୍ଲ (୩୫)ଙ୍କୁ ପୁଲିସ ଗିରଫ କରିଥିଲା ବେଳେ ତାଙ୍କ ସୂଚନା ଆଧାରରେ ତଥା ଉପଯୁକ୍ତ ପ୍ରମାଣ ଆଧାରରେ ଏଥିରେ ସଂପୃକ୍ତ ଥିବା ଅନ୍ୟତମ ଅଭିଯୁକ୍ତ ପ୍ରଶାନ୍ତ ପ୍ରଧାନକୁ ଗୁରୁବାର ଦିନ ସୁବଳୟା ପୁଲିସ ଗିରଫ କରିଥିଲା । ଶୁକ୍ରବାର ଦିନ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା ବେଳେ ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଏସପି ଶ୍ରୀ ନାଏକ ସୂଚନା ଦେଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାର ପଡୋଶୀ ବୌଦ୍ଧ ଜିଲ୍ଲାରେ ବିପୁଳ ପରିମାଣର ଗଞ୍ଜେଇ ଚାଷ ହେଉଥିବା ବେଳେ ଗଞ୍ଜେଇ ଚୋରା ଚାଲାଣ ପାଇଁ ଚୋରା ଚାଲାଣକାରୀ ମାନେ ବିଭିନ୍ନ ପ୍ରକାରର କୌଶଳ ଆପଣଉଛନ୍ତି । ଆଗରୁ କେବଳ ପୁଲିସ ଚୋରା ଚାଲାଣକାରୀ ତଥା ଡ଼୍ରାଇଭର ମାନଙ୍କୁ ଗିରଫ କରି କାମ ସାରି ଦେଉଥିବା ବେଳେ କିନ୍ତୁ ଏବେ ସୁବର୍ଣ୍ଣପୁର ଏସପି ନାରାୟଣ ନାଏକ ଗଞ୍ଜେଇ ମାଫିଆ ତଥା ପରଦା ପଛରେ ରହି ଚାଲାଣ କରୁଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରୁଥିବା ଦେଖାଯାଉ ଥିବା ବେଳେ ଗଞ୍ଜେଇ ମାଫିଆମାନେ ତ୍ରାହି ତ୍ରାହି ଡାକିଲେଣି ।

Leave A Reply

Your email address will not be published.