ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ପୋଲିସକୁ ମିଳିଛି ପୁଣି ଏକ ସଫଳତା । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନାକୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ନେଇ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ସୋମବାର ଦିନ ସକାଳୁ ୫.୩୦ ମି.ରେ ସମୟରେ ବଡଫଟାମୁଣ୍ଡା ଖେଳ ପଡିଆ ଏନ୍ଏଚ୍-୨୬ ଠାରେ ପୋଲିସ ପକ୍ଷରୁ ଏଏସ୍ଆଇ ସୁକାନ୍ତ କୁମାର ଜେନାଙ୍କ ନେତୃତ୍ୱରେ ଏକ ଟିମ୍ ତଲାସି ଚଳାଇଥିବା ବେଳେ ବଲାଙ୍ଗିର ପଟରୁ ଏକ ଧଳା ରଙ୍ଗର ନୂଆ ବୋଲେରୋ ଗାଡ଼ି ଆସୁଥିବା ଦେଖି ତାକୁ ଅଟକାଇ ଯାଞ୍ଚ କରିଥିଲେ । ଗାଡିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଦେଖିବାକୁ ପାଇଥିଲେ । ପରେ ଗାଡି ଚାଳକ ଓ ଜଣେ ଯୁବକକୁ ପୋଲିସ ଅଟକ ରଖିଥିଲା । ପରେ ଏନ୍ଡିପିଏସ୍ ଆଇନ ଅନୁଯାୟୀ ମାଜିଷ୍ଟ୍ରେଟ ଓ ସାକ୍ଷୀଙ୍କ ଉପସ୍ଥିତରେ ତଲାସୀ କରାଯାଇ ନୂଆ ବୋଲେରୋ ଗାଡିରେ ୯ଟି ବ୍ୟାଗ ଥିବା ଦେଖିବାକୁ ମିଳିଥିଲା । ୯ଟି ବ୍ୟାଗକୁ ଖୋଲିଲା ପରେ ସେଥିରୁ ୧୨୫ଟି ଗଞ୍ଜେଇ ଭର୍ତ୍ତି ପ୍ୟାକେଟ ବାହାରିଥିଲା । ପ୍ରତି ପ୍ୟାକେଟରେ ୨ କିଲୋ ଗଞ୍ଜେଇ ଥିବାବେଳେ ମୋଟ ଓଜନ ୨ କ୍ୱିଣ୍ଟାଲ ୪୯ କେଜି ୬୧୦ଗ୍ରାମ ଥିବା ଜଣାପଡିଥିଲା । ୨ ଅଭିଯୁକ୍ତ ସୁରେନ୍ଦ୍ର ବିଶ୍ୱକର୍ମା (୩୦) ଓ ଦିପାଂଶୁ ସିଂ (୨୪) ଫତେପୁର ଜିଲ୍ଲା ହାଟଗାଁଓ ଥାନା, ଉତ୍ତରପ୍ରଦେଶର ବୋଲି ଜଣାପଡିଛି । ସେମାନେ ବୌଦ୍ଧ ଜିଲ୍ଲାରୁ ଉତ୍ତରପ୍ରଦେଶକୁ ଚୋରା ଗଞ୍ଜେଇ ଚାଲାଣ କରୁଥିବା ସୂଚନା ମିଳିଛି । ସରକାରୀ ହିସାବରେ ଚୋରା ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ଥିବାବେଳେ ବାହାର ବଜାର ମୂଲ୍ୟ ପ୍ରାୟ ୨୫ କୋଟି ଟଙ୍କା ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ନାରାୟଣ ନାୟକ ସୂଚନା ଦେଇଛନ୍ତି । ଏନେଇ ଡୁଙ୍ଗୁରିପାଲି ଥାନାରେ କେସ ନଂ ୨୧୯ ତା୧୦/୧୧/୨୫ ୟୁ/ଏସ୍-୨୦(ବି)ସି/୨୯ ଏନ୍ଡିପିଏସ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହେବା ସହ ଏସ୍ଆଇ ପ୍ରେମରାଜ ସାହୁ ମାମଲାର ତଦନ୍ତ କରୁଛନ୍ତି । ଆହୁରି ମଧ୍ୟ ଏସ୍ପି ଶ୍ରୀ ନାୟକ ସୂଚନା ଦେଇଛନ୍ତି ଯେ, ସୁବର୍ଣ୍ଣପୁର ପୋଲିସ ଗତ ୬ ମାସ ମଧ୍ୟରେ ୯୫ରୁ ଅଧିକ ଏନ୍ଡିପିଏସ୍ ମାମଲା ରୁଜୁ କରି ୧୩୫ ଲୋକଙ୍କୁ ଗିରଫ କରିବା ସହ ୫୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରାୟ ୫୨ କ୍ଵିଣ୍ଟାଲ ଗଞ୍ଜେଇ ଜବତ କରିଛି ।
Prev Post