jayashree

୧୧୨୦ ବୋତଲ କଫ ସିରପ ସହିତ ବୋଲେରୋ ଜବତ, ୫ ଗିରଫ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ପୋଲିସ ପୁଣି ଏକ କଫ ସିରପ ଚୋରା ଚାଲାଣର ପର୍ଦ୍ଦାଫାସ କରିଛି । ଘଟଣାରେ ୧୧୨୦ ବୋତଲ ଏସକଫ୍‌ କଫ ସିରପ, ବ୍ୟବହୃତ ବୋଲେରୋ ପିକଅପ୍‌ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ସ୍ଥାନୀୟ ସଦର ପୋଲିସ ଥାନାରେ ବଲାଙ୍ଗିର ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସୂଚନା ମୁତାବକ ବଲାଙ୍ଗିର ପୋଲିସ ଜିଲ୍ଲାରେ ନିଶା ମାଫିଆର ମୂଳୋତ୍ପାଟନ କରିବା ପାଇଁ ଅଣ୍ଟା ଭିଡିଛି । ସେହି କ୍ରମରେ ଜିଲ୍ଲାରେ କଫ ସିରପ ଚାଲାଣ ଉପରେ ପୋଲିସ କଡା ନଜର ରଖିଛି । କୌଣସି ସୁତ୍ରରୁ ଖବର ପାଇ ମଙ୍ଗଳବାର ଦିନ ସଦର ଥାନା ଅନ୍ତର୍ଗତ ତଲିଉଡାର ଗ୍ରାମ ପାଖରେ ଏକ ବୋଲେରୋ ପିକଅପ୍‌କୁ ପୋଲିସ ଅଟକାଇ ଥିଲା । ପିକଅପ୍‌ରୁ ପ୍ରାୟ ୧୧୨୦ ବୋତଲ କଫ୍‌ ସିରପ, କିଛି ଖାଲି ବୋତଲ ଜବତ କରିଥିଲେ । ଘଟଣାରେ ୫ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ୪ ଗୋଟି ମୋବାଇଲ ଓ ନଗଦ ୫୩୦ ଟଙ୍କା ପୋଲିସ ଜବତ କରିଥିବା ନେଇ ପୋଲିସ ପକ୍ଷରୁ ପ୍ରକାଶ କରାଯାଇଛି । ଗିରଫ ଅଭିଯୁକ୍ତମାନେ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ ଗ୍ରାମର କରୁଣା ନାଏକ(୩୦), ପୁଇଁନ୍ତଲା ଥାନା ଅନ୍ତର୍ଗତ ବିଲେଇସର୍ଡା ଗ୍ରାମର ସିତେଶ ଶର୍ମା(୨୨), ବରଗଡ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ବୁଡାମାଲ ଗ୍ରାମର ଯୁବରାଜ ଭୁଏ(୨୬), ମେଲଛାମୁଣ୍ଡା ଗ୍ରାମର ନିରୋଜ ବନଛୋର(୩୪), ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଚେରୁପାଲି ଗ୍ରାମର ଜିତୁ ସା'(୨୨) ବୋଲି ପୋଲିସ କହିଛି । ତେବେ ଗିରଫ ଅଭିଯୁକ୍ତ କରୁଣା ନାଏକଙ୍କ ମାଆ ଥାନାକୁ ଆସି ତାଙ୍କ ପୁଅ ପାଖରୁ ଗୋଟିଏ ହେଲେ କଫ ସିରପ ମିଳି ନଥିବା ବେଳେ ତାଙ୍କୁ ସକାଳୁ ଛାଡି ଦିଆଯିବ ବୋଲି କହି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ସାମ୍ବାଦିକମାନଙ୍କୁ ଅଭିଯୋଗ କରିଥିଲେ ।

Leave A Reply

Your email address will not be published.