ତୁରେକେଲା ରାଜୁ ସଂରକ୍ଷିତ ଜଙ୍ଗଲରୁ ଅର୍ଦ୍ଧ ଦଗ୍ଧ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା : ପର୍ଦ୍ଦାଫାସ କଲା ବଲାଙ୍ଗିର ଓ ରାୟପୁର ଛତିଶଗଡ ପୋଲିସ, ୨ ଜଣ ଗିରଫ
- ପ୍ରେମ କାରବାରକୁ ନେଇ ହତ୍ୟାକଲା ପ୍ରେମିକ
କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ତୁରେକେଲା-ଲାଠୋର ପିଡବ୍ଲୁଡି ରାସ୍ତାର କି.ମି. ଖମ୍ବ ନଂ. ୩ ନିକଟରେ ଗତ ୨୪/୧୧/୨୦୨୨ ଗୁରୁବାର ଦିନ ଏକ ଯୁବତୀଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର କରିଥିଲା ତୁରେକେଲା ପୋଲିସ । ତୁରେକେଲା ଥାନା ବୁଢିବାହାଲ ଗାଁର ଗୌତମ ଲୁହା ନାମକ ବ୍ୟକ୍ତି ରାଜୁ ସଂରକ୍ଷିତ ଜଙ୍ଗଲରେ ଏକ ଯୁବତୀଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ପଡିଥିବା ଥାନାରେ ଲିଖିତ ଜଣାଇବା ପରେ ତୁରେକେଲା ପୋଲିସ କେସ ନଂ.୨୩୪/୨୦୨୨ ଦଫା ୩୦୨/୨୦୧ ଆଇ.ପି.ସି. ରୁଜୁ କରି ସାଇଣ୍ଟିଫିକ ଦଳ ବଲାଙ୍ଗିର ଅଧିକ ତଦନ୍ତ କରିଥିଲା ।
ଗତ ତା.୨/୧୨/୨୦୨୨ ଶୁକ୍ରବାର ସଂଧ୍ୟା ୭ଟାରେ ସ୍ଥାନୀୟ ପୋଲିସ ଏସଡିପିଓ କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ଏହି ସମ୍ମିଳନୀରେ ଏସଡିପିଓ କଂଟାବାଂଜି ଲକ୍ଷ୍ମୀନାରାୟଣ ମାରାଣ୍ଡି ଦେଇଥିବା ସୂଚନା ମୁତାବକ, ରାଜୁ ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର ହୋଇଥିବା ଅର୍ଦ୍ଧ ଦଗ୍ଧ ଯୁବତୀଙ୍କ ମୃତଦେହ ଏଫଆଇଆରକୁ ଭିତ୍ତିକରି ବଲାଙ୍ଗିର ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଅଂଚଳର ନିକଟବର୍ତ୍ତୀ ପୋଲିସ ଥାନା ଗୁଡିକୁ କୌଣସି ଯୁବତୀ କିମ୍ବା ଯୁବକ ନିଖୋଜ ହୋଇଥିବା ବିଷୟ ତୁରନ୍ତ ଖବର ଦେବା ପାଇଁ କୁହାଯାଇଥିଲା । ଏପରିକି ଛତିଶଗଡ ଅଂଚଳର କିଛି ଥାନାକୁ ମଧ୍ୟ ଏହି ଘଟଣା ଜଣାଇ ଦିଆଯାଇଥିଲା । ଏହି ଘଟଣାର ଅନୁସନ୍ଧାନ ବେଳେ ମୃତ ଯୁବତୀଙ୍କ ଗଳାରୁ ଛତିଶଗଡ ରାୟପୁରର ଏକ ବ୍ୟାଙ୍କରେ ଚାକିରି କରୁଥିବା ଆଇଣ୍ଡେଟିଟିରୁ (ଏକ୍ସିସ ବ୍ୟାଙ୍କ) ଜାଣିବାକୁ ପାଇଥିଲେ । ଏହା ପରେ ରାୟପୁର ମୋୱା ସ୍ଥିତ ଏକ୍ସିସ ବ୍ୟାଙ୍କକୁ ପୋଲିସ ଜଣାଇବାରୁ ବ୍ୟାଙ୍କ ପରିବାର ବର୍ଗଙ୍କୁ ଖବର ଦେଇଥିଲା । ଏହା ପରେ ପରିବାର ବର୍ଗ ରାୟପୁର ପୋଲିସ ସହାୟତାରେ ବଲାଙ୍ଗିର ତୁରେକେଲାକୁ ଆସି ନିଜର ଝିଅ ବୋଲି ଜାଣିପାରିଥିଲେ । ପରେ ପରିବାର ବର୍ଗଙ୍କୁ ପୋଲିସ ଅଧିକ ତତ୍ୱ ଜାଣିବାରେ ସଚିନ ଅଗ୍ରୱାଲ (୩) ପିତା ଶ୍ୟାମ ଲାଲ ଅଗ୍ରୱାଲ ନିବାସୀ ବ୍ଲକ-୫୦୩, ପାଲ୍ମ ବେଲ୍ଲାଜିଓ ଖମାରଦିହ ରୋଡ ଭିଆଇପି ରୋଡ, ମୋୱା ଏସଏମସି ହସ୍ପିଟାଲ ସହ ପୂର୍ବରୁ ପ୍ରେମ ସଂପର୍କ ଥିଲା ଏବଂ ଗତ ୨୧.୧୧.୨୦୨୨ତାରିଖ ଦିନ ଉଭୟେ ମହାସମୁନ୍ଦ ବୁଲି ଯିବା ପାଇଁ କହି ଚାରି ଚକିଆ ଯାନରେ ବାହାରିଥିଲେ । ଛତିଶଗଡ ମହାସମୁନ୍ଦରୁ ସେମାନେ ଓଡିଶା ଆସି ବଙ୍ଗୋମୁଣ୍ଡା ଅଂଚଳରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବାକ୍ ବିତଣ୍ଡା ହୋଇ ଝଗଡା ହୋଇଥିଲେ । ଝଗଡାରେ ଉତ୍ୟକ୍ତ ହୋଇ ସଚିନ ନିଜ ପାଖରେ ଥିବା ପିସ୍ତୋଲରୁ ତନୁ କୁରେଙ୍କୁ ୩ଟି ଗୋଳି ଚଲାଇଥିଲା । ଘଟଣାସ୍ଥଳରେ ହିଁ ତନୁ କୁରେଙ୍କ ମୃତ୍ୟୁ ହେଲା ପରେ କଂଟାବାଂଜି ଦେଇ ତୁରେକେଲା – ଲାଠୋର ଯିବା ବାଟରେ ରାଜୁ ସଂରକ୍ଷିତ ଜଙ୍ଗଲରେ ପେଟ୍ରୋଲ ଓ ଡିଜେଲ ଢାଲି ପୋଢି ଦେଇ ପୁର୍ନବାର କଂଟାବାଂଜି ଫେରିଥିଲା । କଂଟାବାଂଜି ଫେରି ନିଜ ସାଙ୍ଗ ସୁରଜ ଅଗ୍ରୱାଲ ପିତା ବିଜୟ କୁମାର ଅଗ୍ରୱାଲ ନିବାସୀ ବଜାରପଡା, କଂଟାବାଂଜିଙ୍କୁ ପିସ୍ତୋଲ ଏବଂ ଜୀବନ୍ତ ୬ଟି ଗୁଳି ଦେଇ ଫେରାର ହୋଇଥିଲା । ବଲାଙ୍ଗିର ଏସ୍ପି ନିତିନ କୁଶଲକରଙ୍କ ଦ୍ୱାରା ଗଠିତ ଅନୁସନ୍ଧାନ ଟିମ୍ ପରବର୍ତ୍ତୀ ସମୟରେ ଅଧିକ ଛାନବିନ ପରେ ସଚିନଙ୍କୁ ବଲାଙ୍ଗିର ପୋଲିସ ରାୟପୁରରେ ଗିରଫ କରିଥିଲା । ଏହା ପରେ ସଚିନ ଠାରୁ ସମସ୍ତ ତଥ୍ୟ ସଂଗ୍ରହ କରି ସଚିନ ମାରିଥିବା ସ୍ୱୀକାର କରିଥିଲା ଏବଂ ପିସ୍ତୋଲ ସହ ବିଜୟ କୁମାର ଅଗ୍ରୱାଲଙ୍କୁ କଂଟାବାଂଜିରୁ ଗିରଫ କରିଥିଲା । ପୂର୍ବରୁ ଦର୍ଜ ହୋଇଥିବା ଥାନା କେସ ନଂ. ୨୩୪ ଦଫା ୩୦୨/୨୦୧ ଆଇପିସିକୁ ପରିବର୍ତ୍ତନ କରି ଦଫା ୩୦୨/୨୦୧/୩୪ ଆଇ.ପି. ଆର.ଡବ୍ଲୁ ସେକ୍ସନ ୨୫/୨୭ ଆର୍ମ ଏକ୍ଟରେ ସଚିନ ଓ ବିଜୟଙ୍କୁ କଂଟାବାଂଜି କୋର୍ଟ ଚାଲାଣ ପରେ ସବ୍ ଜେଲକୁ ପଠାଇ ଦିଆଯାଇଥିବା ବିଷୟ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ତୁରେକେଲା ଆଇଆଇସି ଧର୍ମେନ୍ଦ୍ର ଶାନ୍ତି ଓ ବଲାଙ୍ଗିର ଟାଉନ ଥାନା ସବ୍ ଇନ୍ସପେକ୍ଟର କିରଣ କୁମାର ଯାନି ଉପସ୍ଥିତ ଥିଲେ ।