ଠକେଇ ମାମଲାରେ ଜଣେ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବ୍ରହ୍ମପୁର ବଡ଼ବଜାର ଥାନା ପୁଲିସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱରରେ ଫ୍ଲାଟ୍ ଦେବାକୁ କହି ୨ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ବଡ଼ବଜାର ଥାନା ପୁଲିସ ଜଣେ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଗିରଫ ଡାକ୍‌କ୍ତର ଜଣକ ଡି. ଉତ୍ତମ କୁମାର(୪୫) ବୋଲି ଜଣାପଡିଛି । ସେ ଜଣେ ଦାନ୍ତ ଡାକ୍ତର ହୋଇଥିବା ବେଳେ ବ୍ରହ୍ମପୁର ବଡ଼ବଜାରରେ ତାଙ୍କର ଏକ କ୍ଲିନିକ୍ ରହିଛି । ଏଥିସହ ସେ ଏକ ଘରୋଇ ଡେଭେଲପ୍‌ମେଣ୍ଟ କମ୍ପାନୀର ପ୍ରୋଜେକ୍ଟ ଡାଇରେକ୍ଟର୍ ଥିଲେ ବୋଲି ଜଣାପଡିଛି । ପରବର୍ତ୍ତୀ ସମୟରେ ତାଙ୍କ ନାମରେ ୨୦୨୧ ଅକ୍ଟୋବରରେ ବଡ଼ବଜାର ଥାନାରେ ଏକ ଠକେଇ ଅଭିଯୋଗ ହୋଇଥିଲା । ପୁଲିସ ଏକ ମାମଲା କେସ୍‌ ନଂ୨୦୨/୨୦୨୧ରେ ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା । ଗତକାଲି ଅଭିଯୁକ୍ତ ଡାକ୍ତର ଉତ୍ତମକୁ ଗିରଫ କରିବାରେ ପୁଲିସ ସକ୍ଷମ ହୋଇଛି । ତାଙ୍କର ୟୁଏମ୍‌ଏସ୍‌ ଡେଭେଲପର୍ସ ପ୍ରାଇଭେଟ୍ ଲିମିଟେଡ୍ ନାମରେ ଏକ ସଂସ୍ଥା ରହିଛି ବୋଲି କୁହାଯାଏ । ସେଥିରେ ଅନ୍ୟଦୁଇ ଜଣ ପାର୍ଟନର୍‌ ଥିଲେ । ଉକ୍ତ ସଂସ୍ଥା ମାଧ୍ୟମରେ ଭୁବନେଶ୍ୱର ଓ ବ୍ରହ୍ମପୁରରେ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ ଗଢ଼ାଯାଇ ଗ୍ରହକଙ୍କୁ ଯୋଗାଇ ଦିଆଯାଉଥିବା ଜଣାପଡିଛି । ସୂଚନା ଅନୁସାରେ ଭୁବନେଶ୍ୱରରେ ଏଭଳି ଏକ ବହୁତଳ ବିଶିଷ୍ଟ କୋଠା ନିର୍ମାଣ ଚାଲିଥିବା ବେଳେ ସେଥିରେ ହାଉସିଂ ପ୍ରୋଜେକ୍ଟ ପାଇଁ ଥିବା ସ୍କିମ୍‌ ମାଧ୍ୟମରେ ଗୋଟିଏ ଫ୍ଲାଟ୍‌ ବ୍ୟବସାୟୀଙ୍କୁ ଯୋଗାଇ ଦେବେ, ଏଥିପାଇଁ ୨କୋଟି ଟଙ୍କା ସହ ନୋଟାରି ଆଫିଡେଭିଟ୍ ଓ ପ୍ରତିଶ୍ରୁତିପତ୍ର ଆଦି ପାଇଁ ଅନ୍ୟ ଖର୍ଚ୍ଚ ଲାଗିବ ବୋଲି ଡାକ୍ତର ଜଣକ କହିଥିଲେ । ତାଙ୍କ କଥାକୁ ବିଶ୍ୱାସ କରି ବଡ଼ ବଜାର ଅଞ୍ଚଳରେ ଜଣେ ସୁନାବ୍ୟବସାୟୀ ଦୁଇ କୋଟି ଟଙ୍କା ଦେଇଥିଲେ । କିନ୍ତୁ ବ୍ୟବସାୟୀଙ୍କୁ ସେ ଫ୍ଲାଟ୍‌ ଦେବା ପରିବର୍ତ୍ତେ ପ୍ରଥମେ ବିଭିନ୍ନ ବାହାନା କରିଥିଲେ । ଟଙ୍କା ଫେରସ୍ତ ମାଗିବାରୁ ତାଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ । ଗତକାଲି ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.