ଡି. ଏ. ଏ. ଆଇ. ଇନ୍‌ଭେଷ୍ଟମେଣ୍ଟ ଗୃପ ଠକେଇ ମାମଲାରେ ବ୍ରହ୍ମପୁରସହରର ୨ ଜଣ ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଡି. ଏ. ଏ. ଆଇ. ଇନ୍‌ଭେଷ୍ଟମେଣ୍ଟ ଓ ଗୃପ ନାମକ ଏକ ଅନ୍‌ଲାଇନ୍‌ ଆପ୍ଲିକେସନ୍‌ରେ ଟଙ୍କା ଜମା କଲେ ଡବଲ୍‌ ହୋଇଯିବା ପ୍ରତିଶ୍ରୁତି ଦେଇ ଗ୍ରାହକଙ୍କୁ ପ୍ରଲୋଭିତ କରାଇ ଜଣେ ବ୍ୟକ୍ତିଙ୍କ ଠାରୁ ୨ ଲକ୍ଷ ୮୦ ହଜାର ଟଙ୍କା ଠକେଇ ହୋଇଥିବା ନେଇ ନିମଖଣ୍ଡି ଥାନା ଅଭିଯୋଗ ହୋଇଥିଲା । ଏହି ମାମଲାରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ବଡ଼ ବଜାର ଥାନା ଅନ୍ତର୍ଗତ ରଙ୍କୁଣିବନ୍ଧ ସାହିର ପ୍ରଶାନ୍ତ କୁମାର ନାୟକ(୪୬) ଓ ଜରଡ଼ା ଥାନା ଅନ୍ତର୍ଗତ ଅଭୟପୁର ଗ୍ରାମର ସୁଧୀର କୁମାର ପ୍ରଧାନ(୫୬) । ଘଟଣାରେ ବ୍ୟବହୃତ ମୋବାଇଲ୍‌ ଅଭିଯୁକ୍ତ ନିକଟରୁ ପୋଲିସ ଜବତ କରିଛି । ବୁଧବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୂଚନାଯୋଗ୍ୟ ଯେ, ବଡବଜାର ଥାନା ଅନ୍ତର୍ଗତ ରଙ୍କୁଣିବନ୍ଧ ସାହିର ମନୋଜ କୁମାର ମହାପାତ୍ର ୨୦୨୪ ଏପ୍ରିଲ ମାସରେ ତାଙ୍କର ପରିଚିତ ପ୍ରଶାନ୍ତ କୁମାର ନାୟକଙ୍କ ଜରିଆରେ ଡିଏଏଆଇ ଆପ୍ଲିକେସନ୍‌ ବିଷୟରେ ଜାଣିବାକୁ ପାଇଥିଲେ । ଏହାପରେ ସେ ଏହି ଡିଏଏଆଇ ଇନ୍‌ଭେଷ୍ଟମେଣ୍ଟ ଓ ଗୃପ୍‌ର ବ୍ରହ୍ମପୁର ମୁଖ୍ୟ ସୁଧୀର କୁମାର ପ୍ରଧାନଙ୍କ ସହ ଯୋଡି ହୋଇଥିଲେ । ଏହି ଆପ୍ଲିକେସନ୍‌ ଜରିଆରେ ଅନ୍‌ଲାଇନ୍‌ରେ ଟଙ୍କା ଜମା କଲେ କିଛିଦିନ ମଧ୍ୟରେ ତାହା ଡବଲ୍‌ ହୋଇଯିବ ବୋଲି କହିଥିଲେ । ଏପରିକି କମ୍ପାନୀ ପକ୍ଷରୁ ସହରର ବିଭିନ୍ନ ହୋଟେଲରେ ବୈଠକ କରାଯାଇ ଜମାକାରୀଙ୍କୁ ଉତ୍ସାହିତ କରାଯାଇଥିଲା । ସେହିକ୍ରମରେ ମନୋଜ ବିଭିନ୍ନ ପର୍ଯ୍ୟାୟରେ ସେହି ଆପ୍ଲିକେସନ୍‌ରେ ୨ ଲକ୍ଷ ୮୦ ହଜାର ଟଙ୍କା ଜମା କରିଥିଲେ । ଜୁନ୍ ୨୧ ତାରିଖରେ ବୈଠକ କରି ସଂସ୍ଥାର ନିୟମ ବଦଳିପାରେ ବୋଲି ବ୍ରହ୍ମପୁର ମୁଖ୍ୟ କହିଥିଲେ । ହେଲେ ଜୁଲାଇ ମାସରେ ଏହି କମ୍ପାନୀ ବନ୍ଦ ହୋଇଯାଇଥିଲା । ସଂସ୍ଥାରେ କାର୍ଯ୍ୟରତ ପ୍ରଶାନ୍ତ ଓ ସୁଧୀରଙ୍କୁ ମନୋଜ ଫୋନ୍‌ରେ ଯୋଗାଯୋଗ କରିବାରୁ ସେମାନେ ଫୋନ୍‌ ଉଠାଇନଥିଲେ । ଫଳରେ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏହି ସଂସ୍ଥାର ମୁଖ୍ୟ ମୁମ୍ବାଇରେ ରହୁଥିବା ଜଣାପଡିଥିଲା । ଜମାକାରୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ୨ ଲକ୍ଷ ୮୦ ହଜାର ଟଙ୍କା ଠକେଇ କରାଯାଇଥିଲା । ଠକେଇର ଶିକାର ହୋଇଥିବା ଜମାକାରୀ ମନୋଜ ନିମଖଣ୍ଡି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତଙ୍କ ମୋବାଇଲ ଟ୍ରାକିଂ କରି ଉପରୋକ୍ତ ଅଭିଯୁକ୍ତଙ୍କୁ କାବୁ କରିଥିଲା ।

Leave A Reply

Your email address will not be published.