ବରାଳଦେବୀ ମନ୍ଦିର ଚୋରୀ ଘଟଣା : ଟଙ୍କା ଜବତ ସହ ୩ ଗିରଫ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅଧିନସ୍ଥ ବଲସକୁମ୍ପା ଠାରେ ଥିବା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ବରାଳଦେବୀ ମନ୍ଦିରର ଦାନ ହୁଣ୍ଡି ଭାଙ୍ଗି ତିନି ଦୁର୍ବୁତ୍ତ ଶନିବାର ଦିନ ଚୋରି କରିଥିଲେ । ରବିବାର ଦିନ ସକାଳେ ମନ୍ଦିର ପୂଜକ ଅଭୟ ଦେହୁରୀ ମନ୍ଦିର ହୁଣ୍ଡି ଚୋରି ହୋଇଥିବା ଘଟଣା ଦେଖି ମନ୍ଦିର ପରିଚାଳନା କମିଟି ସଭାପତି ଚିତ୍ତରଞ୍ଜନ ପ୍ରଧାନଙ୍କୁ ଜଣାଇବା ପରେ ମନ୍ଦିର ସଭାପତି ଏ ନେଇ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ଥାନାରେ ୧୧୭/୨୪ ମାମଲା ରୁଜୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ଘଟଣାର ଛାନ୍‌ଭିନ୍‌ କରିଥିଲା । କିନ୍ତୁ ମନ୍ଦିରର ସିସିଟିଭି ଫୁଟେଜ୍‌କୁ ଦେଖି ଘଟଣା ଘଟିବାର ୧୧ ଘଣ୍ଟା ଭିତରେ ୩ ଜଣ ଚୋରକୁ କାବୁ କରିବା ସହିତ ୫୭ ହଜାର ୨୮୨ ଟଙ୍କା ଏବଂ ଚୋରିରେ ବ୍ୟବହୃତ ହୋଇଥିବା ଲୁହା ଛଡ ଏବଂ ବ୍ୟାଗ୍ ଓ ମୋବାଇଲ ଫୋନ୍‌କୁ ଜବତ କରିଛି ପୋଲିସ । ଯାହାକି ଅନେକ ଥର ଚୋରି ହୋଇଥିବା ବେଳେ ଖଜୁରୀପଡ଼ା ପୋଲିସକୁ ବଡ ସଫଳତା ମିଳିଛି । ଅଭିଯୁକ୍ତ ମାନେ ହେଲେ ବାଙ୍ଗୁରୁ ଓରଫ ରବୀନ୍ଦ୍ର ବିଷୋୟୀ (୨୭), ବିରେନ୍ଦ୍ର ନାୟକ(୧୯)ଙ୍କ ସହିତ ଜଣେ ନାବାଳକକୁ ଧରି କୋର୍ଟ ଚାଲାଣ କରାଯାଇଛି । ସମ୍ପୃକ୍ତ ନାବାଳକ ନାମରେ ମଧ୍ୟ ବିଭିନ୍ନ ଥାନାରେ ଏଭଳି ଅପରାଧିକ ମାମଲା ପୂର୍ବରୁ ରହିଥିବା ସୂଚନା ମିଳିଛି । ଅନ୍ୟପଟେ ମନ୍ଦିର ପରିଚାଳନା କମିଟି ସଭାପତି ଚିତ୍ତରଞ୍ଜନ ପ୍ରଧାନ ଏବଂ ସମ୍ପାଦକ ସଞ୍ଜୟ କୁମାର କହଁର ଏବଂ ସରୋଜ କୁମାର ସାହାଣୀଙ୍କୁ ଜବତ ହୋଇଥିବା ୫୭ ହଜାର ୨୮୨ ଟଙ୍କା ପୋଲିସ ପ୍ରଦାନ କରିଥିବାବେଳେ ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ସହ ଫୁଲବାଣୀ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁପ୍ରସନ୍ନ ମଲ୍ଲିକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଚୋରକୁ ପୁଲିସ ଧରିଥିବା ଯୋଗୁଁ ଅଞ୍ଚଳବାସୀଙ୍କ ସମେତ ମନ୍ଦିର ପରିଚାଳନା କମିଟି ତରଫରୁ ପୋଲିସଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.