shyamal

୫୦ ହଜାର ଲାଞ୍ଚ ନେଇ ବଲାଙ୍ଗିର ଚିଫ୍‌ ସିଏସ୍‌ଓ ପ୍ରଭାକର ପାତ୍ର ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ବି. ପ୍ରଭାକର ପାତ୍ର ଆଜି ଜଣେ ରାଇସ୍‌ ମିଲର୍ସଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜଲାନ୍ସ ହାତରେ ଧରାପଡିଛନ୍ତି । ଭିଜିଲାନ୍ସ ତାଙ୍କୁ ଗିରଫ କରି ତାଙ୍କ ବାସଭବନ, ପୈତୃକଗ୍ରାମ ସମେତ ୩ଟି ସ୍ଥାନରେ ଚଢାଉ କରୁଛି । ଗତକାଲି ଓଡିଶାର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବଲାଙ୍ଗିର ଜିଲ୍ଲାରେ ସମୀକ୍ଷା ବୈଠକକରି ପିସି କାରବାର ବନ୍ଦ କରିବାକୁ ନିର୍ଦ୍ଦେଶ କରିଥିଲେ । ତାଙ୍କର ନିର୍ଦ୍ଦେଶକୁ ୨୪ଘଣ୍ଟା ପୁରିନଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ମୁଖ୍ୟ ଯୋଗାଣ ଅଧିକାରୀ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ ହେବା ଘଟଣା ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ପକାଇଛି । ଭିଜିଲାନ୍ସ ସୂତ୍ରରୁ ଜଣାଯାଇଛି ଯେ, ଗୁଡଭେଲା ବ୍ଲକର ଗଜାନନ ରାଇସ୍‌ ମିଲର୍‌ ଏକ ବିଲ୍‌ କରିବାକୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ନିକଟକୁ ଆସିଥିଲେ । ତେବେ ରାଇସ୍‌ ମିଲ୍‌ର ମାଲିକ ଆଶିଷ ଶର୍ମାଙ୍କୁ ମୁଖ୍ୟ ଯୋଗାଣଅଧିକାରୀ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଆଶିଷ ସମ୍ବଲପୁର ଭିଜିଲାନ୍ସ ବିଭାଗକୁ ଯୋଗାଯୋଗ କରିଥିଲେ । ଭିଜିଲାନ୍ସର ଯୋଜନା ମୁତାବକ ଆଜି ଦିନ ୧.୩୦ରେ ଚିଫ୍‌ ସିଏସ୍‌ଏସ୍‌ଓ ବି. ପ୍ରଭାକର ପାତ୍ର ତାଙ୍କ ସରକାରୀ କାର୍ଯ୍ୟାଳୟର ଚେମ୍ବରରେ ଆଶିଷଙ୍କ ଠାରୁ ୫୦ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ତାଙ୍କ ଠାରୁ ୧୦୦ଟି ରାସାୟନିକ ପ୍ରଲେପ ଦିଆ ୫୦୦ ଟଙ୍କିଆ ନୋଟ୍‌ ଜବତ କରି ତାଙ୍କୁ ଗିରଫ କରିଥିଲା । ସମ୍ବଲପୁର ଭିଜିଲାନ୍ସ ଡିଏସ୍‌ପି ରୀତାଞ୍ଜଳି ପଧାନ, ସୋନପୁର ଭିଜିଲାନ୍ସ ଇନ୍ସପେକ୍ଟର ତୁଷାର ମହାପାତ୍ର ଚିଫ୍‌ ସିଏସ୍‌ଓଙ୍କୁ ଧରିଲା ପରେ ତାଙ୍କ ସରକାରୀ କାର୍ଯ୍ୟାଳୟ, ସାଲେପାଲି ସିଲିକନ୍‌ଭେଲି ସ୍ଥିତ ତାଙ୍କ ବାସଭବନ ଓ ଗଞ୍ଜାମ ଜିଲ୍ଲାର ତାଙ୍କ ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଯାଞ୍ଚ କରୁଥିବା ସୂଚନା ମିଳିଛି । ପ୍ରକାଶ୍ୟ ଯେ, ଗତ ୨୦୨୩ ମସିହାରୁ ଆଜି ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ଧାନକିଣାରେ ବ୍ୟାପକ ଅନିୟମିତତା, ମିଲର୍ସଙ୍କୁ ଟାର୍ଗେଟ ଦେବାରେ ପାତର ଅନ୍ତର ଇତ୍ୟାଦି ଅଭିଯୋଗ ରହିଆସିଥିଲା ।

purusottam
Leave A Reply

Your email address will not be published.