ଚଳକୀରେ ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ : ଦୁଇ ନାବାଳକଙ୍କ ସହ ୩ ଗିରଫ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚଳକୀ ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଛି । ଏହି ଘଟଣାରେ ପୁଲିସ ତଦନ୍ତ କରି ଚଳକୀ ଗ୍ରାମର ଯୁବକ ପଦ୍ମନ ଭୋଇ(୨୧) ଓ ଦୁଇ ଜଣ ନାବାଳକ(୧୭) ଓ (୧୫)ଙ୍କ ସହ ମୋଟ ୩ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଚଳକୀ ଗ୍ରାମର ଡମ୍ବରୁ ବାଗ(୬୦) ଥାନାରେ ଦେଇଥିବା ଏତଲା ଆଧାରରେ ତାଙ୍କ ସାନ ଭାଇ ଅର୍ଚ୍ଛୁ ବାଗ(୫୮)ଙ୍କୁ ଗ୍ରାମର ପଦ୍ମନ ଭୋଇଙ୍କ ସହ ଅନ୍ୟମାନେ ରାତିରେ ସଂଘବଦ୍ଧ ଭାବେ ପଥର ଓ ବାଡ଼ିରେ ମରଣାନ୍ତକ ଆକ୍ରମଣ କରିଥିଲେ । ସେ ତଳେ ପଡ଼ିଗଲା ପରେ ମଧ୍ୟ ତାଙ୍କୁ ଲାତ, ବିଧା ମାରି ଚାଲିଥିଲେ । ଅର୍ଚ୍ଛୁଙ୍କୁ ମରଣାନ୍ତକ ଆକ୍ରମଣ କରୁଥିବା ବେଳେ ପଡ଼ୋଶୀମାନେ ଚାଲି ଆସିବାରୁ ତାଙ୍କୁ ଆକ୍ରମଣକାରୀମାନେ ଛାଡି ଦେଇଥିଲେ । ଏ ସମ୍ପର୍କରେ ଖବର ପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ ଏବେ ସେ ବଲାଙ୍ଗିର ଭୀମ ଭୋଇ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି । ଆକ୍ରମଣକାରୀ ପରିବାରର ଜଣଙ୍କ ଦେହ ବାରମ୍ବାର ଅସୁସ୍ଥ ହେଉଥିବାରୁ ଏଥିପାଇଁ ସେମାନେ ଅର୍ଚ୍ଛୁଙ୍କୁ ଦାୟୀ କରି ଏହି ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି । ଆକ୍ରମଣ ବେଳର ଭିଡିଓ ସିସିଟିଭିରେ କୈଦ ହୋଇଛି । ଏ ନେଇ ପୁଲିସ ଥାନା କେଶ ନଂ. ୨୦୪/୨୪ ଦଫା ୩୪୧ /୨୯୪ /୩୨୩ /୫୦୬/ ୫୨୫/ ୩୪ ଆଇପିସିରେ ମାମଲା ରୁଜ୍ଜୁ କରି ଏସ୍‌ଆଇ ଦନାର୍ଦ୍ଦମ ଓରାମ ଘଟଣାର ତଦନ୍ତ କରୁଥିଲେ । ଅଧିକ ତଦନ୍ତ କରି ଅଭିଯୁକ୍ତ ପଦ୍ମନ ଭୋଇଙ୍କୁ କଣ୍ଟାବାଞ୍ଜି ଜେଲ୍‌ ଓ ଅନ୍ୟ ଦୁଇ ନାବାଳକଙ୍କୁ ଭବାନୀପାଟଣା ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇ ତଦନ୍ତ ଜାରି ରହିଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.