ସତିଘାଟରେ ନକଲି ଫେନ୍ସି ସାମଗ୍ରୀ ବିକ୍ରି କରି ଫେରାର ହେଉଥିବା ବେଳେ ବାହାର ରାଜ୍ୟର ୩ ଜଣ ୪୨୦ ଠକ ଗିରଫ

  • ଫେରାର ବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ
  • ଗୁରୁତର ଆହତ ଅବସ୍ଥାରେ ଧରାପଡିଲେ
  • ୩ଜଣଙ୍କୁ କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବାନ୍ଦୁପଲା ପଞ୍ଚାୟତ ସତିଘାଟ ଗ୍ରାମରେ ନକଲି ଫେନ୍ସୀ ସାମଗ୍ରୀ ବିକ୍ରି କରି ଫେରାର ହେଉଥିବା ବେଳେ ସଇଁତଲା ଥାନା ଅଂଚଳରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ୩ଜଣ ବାହାର ରାଜ୍ୟର ୪୨୦ ଠକଙ୍କୁ ଗିରଫ କରି ମଙ୍ଗଳାବର ପୋଲିସ କୋର୍ଟ ଚାଲାଣ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ଉତ୍ତର ପ୍ରଦେଶ ରାଜ୍ୟର ମହମ୍ମଦ ହବିବ (୨୬) ଓ ଅବଦୁଲ ଅଜିଜ(୨୭) ତଥା ଛତିଶଗଡ଼ ରାଜ୍ୟର ଆଶିଷ ମାର୍ଟିନ (୪୩) ବୋଲି ଜଣାପଡିଛି । ସତିଘାଟ ଗ୍ରାମର କିରାନା ଦୋକାନୀ ଦୟାନିଧି ବଗର୍ତ୍ତି ବାହାର ରାଜ୍ୟରୁ ଆସିଥିବା ବ୍ୟବସାୟୀମାନଙ୍କ ପାଖରୁ ତାଙ୍କ ଦୋକାନ ପାଇଁ କିଛି ଫେନ୍‌ସି ସାମଗ୍ରୀ କିଣିବା ସହ ସେମାନଙ୍କୁ ନଗଦ ୩୫ହଜାର ଟଙ୍କା ଓ ଅନଲାଇନରେ ୫ହଜାର ଟଙ୍କା ପ୍ରଦାନ କରିଥିଲେ । ସେମାନେ ପଇସା ପାଇଲା ପରେ ତୁରନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହା ପରେ ଦୋକାନୀଜଣଙ୍କ ଫେନ୍‌ସି ସାମଗ୍ରୀ ଖୋଲି ଦେଖିବା ବେଳେ ଏଥିରେ ବହୁ ପରିମାଣର ନକଲି ସାମଗ୍ରୀ ରହିଥିବା ଦେଖିବାକୁ ପାଇଥିଲେ । ସେ ତୁରନ୍ତ ସେମାନଙ୍କୁ ପିଛା କରିଥିବା ବେଳେ ସେମାନେ ସେତେବେଳକୁ ବହୁ ଦୂରକୁ ଫେରାର ହୋଇଯାଇଥିଲେ । ଫେନ୍‌ସି ବ୍ୟବସାୟୀମାନେ ଘଟଣାସ୍ଥଳରୁ ଫେରାର ହେଉଥିବା ବେଳେ ସଇଁତଲା ଥାନା ସମରା ଅଞ୍ଚଳରେ ସେମାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେମାନେ ସମସ୍ତେ ଗୁରୁତର ଆହତ ହୋଇଥିଲେ । ସଇଁତଲା ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ମୁରିବାହାଲ ପୁଲିସକୁ ହସ୍ତାନ୍ତର କରିଥିଲା । ଦୟାନିଧିଙ୍କ ଏତଲା ଆଧାରରେ ପୁଲିସ କେଶ ନଂ ୨୭୨/୨୪ ରୁଜ୍ଜୁ କରି ଅଧିକ ତଦନ୍ତ ପରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ତଦନ୍ତକାରୀ ସବଇନ୍ସପେକ୍ଟର ପ୍ରମୋଦ କୁମାର ପଧାନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.