centurian jitm

ମୁରିବାହାଲ ଥାନା ଅଞ୍ଚଳରେ ୨ଟି ଅଭାବନୀୟ ଘଟଣା

nschool
  • ୩ଟି ଅପମୃତ୍ୟୁ ମାମଲାରେ ୪ଜଣଙ୍କ ମୃତ୍ୟୁ ଅଭିଯୋଗ
  • ସେମେଲପାଲିରେ ପ୍ରେମୀଯୁଗଳ
  • ଗୁଡିଘାଟରେ ସ୍ୱାମୀସ୍ତ୍ରୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅଂଚଳରେ ଦୁଇଟି ଚାଞ୍ଚଲ୍ୟକର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଥିରେ ତିନିଟି ଅପମୃତ୍ୟୁ ମାମଲାରେ ମୋଟ ୪ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ହଳଦୀ, ସେମେଲପାଲି ଗ୍ରାମରେ ଦୁଇ ପ୍ରେମୀ ଯୁଗଳ ଓ ଗୁଡିଘାଟ ଗ୍ରାମରେ ଦୁଇ ସ୍ଵାମୀସ୍ତ୍ରୀ ଘର ଭିତରେ ଆତ୍ମହତ୍ୟା କରିଥିବା ବେଳେ ସମସ୍ତ ୪ଜଣଙ୍କ ମୃତଦେହ ଘରେ ପଡ଼ିରହିଥିବା ଅଭିଯୋଗ ହୋଇଥିଲା । ପ୍ରଥମ ଘଟଣାରେ ହଳଦୀ ନିକଟବର୍ତ୍ତୀ ସେମେଲପାଲି ଗ୍ରାମରେ ଘରୁ ଫେରାର ହୋଇଥିବା ଦୁଇ ପ୍ରେମୀ ଯୁଗଳ ପ୍ରେମିକଙ୍କ ଘରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସେମେଲପାଲି ଗ୍ରାମର ନୁର୍ତ୍ତ ନାଗଙ୍କ ପୁଅ ଅରବିନ୍ଦ ନାଗ(୧୮) ଓ ଗ୍ରାମର ସନ୍ତୋଷ ନାଗଙ୍କ ଝିଅ ସଂଯୁକ୍ତା ଓରଫ ପୂଜା ନାଗ(୨୦) ଶନିବାର ସନ୍ଧ୍ୟାରେ ଘରୁ ଫେରାର ହୋଇଯାଇଥିଲେ । ଉଭୟ ସମ୍ପର୍କୀୟ ପିଉସୀ(ନନା)-ଭଣଜାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ବୋଲି ଜଣାପଡିଛି । ଏ ସମ୍ପର୍କରେ ଝିଅ ଘର ପକ୍ଷରୁ ପ୍ରଥମେ ରାତିରେ ମୁରିବାହାଲ ଥାନାରେ ଏକ ନିଖୋଜ ଏତଲା ଦିଆଯାଇଥିଲା । ଏତଲା ଆଧାରରେ ପୁଲିସ ତନାଘନା ତଦନ୍ତ ଆରମ୍ଭ କରି ଗାଁକୁ ପହଞ୍ଚିଥିଲା । ଉଭୟ ପରିବାର ଲୋକେ ମଧ୍ୟ ଗ୍ରାମବାସୀଙ୍କ ସହ ମିଶି ପୁଅଝିଅକୁ ଖୋଜିବାକୁ ଲାଗିଥିଲେ । ଉଭୟଙ୍କୁ ଫେରାର କରିବାରେ ସହଯୋଗ କରିଥିବା କେତେକଙ୍କ ନାଁରେ ଝିଅ ଘର ଲୋକ ଅଭିଯୋଗ କରିଥିଲେ । ସନ୍ଦେହରେ ପୁଲିସ ଜଣଙ୍କୁ ଥାନାରେ ଅଟକ ରଖିଛି । ରାତିରେ ପରିବାର ଲୋକେ ନିଖୋଜ ଉଭୟ ପ୍ରେମିକ ପ୍ରେମିକାଙ୍କ ମୃତଦେହ ପ୍ରେମିକ ଅରବିନ୍ଦଙ୍କ ଘରେ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ । ବଞ୍ଚିଥିବେ ଭାବି ଉଭୟଙ୍କୁ ପଙ୍ଖାରୁ ଓହ୍ଲାଇ ଦିଆଯାଇଥିବା ଜଣାପଡିଛି । ମୃତ ଝିଅଙ୍କ ବାପା ତାଙ୍କ ଝିଅଙ୍କୁ ପୁଅ ଘର ଲୋକେ ମାରି ଝୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି । ମୃତ ଝିଅଙ୍କ ବାପାଙ୍କ ଏତଲା ଆଧାରରେ ପୁଲିସ ଅପମୃତ୍ୟୁ କେଶ ନଂ ୦୪/୨୫ରୁଜ୍ଜୁ କରିଥିବା ବେଳେ ପୁଅର ବାପାଙ୍କ ଏତଲା ଆଧାରରେ ଅପମୃତ୍ୟୁ କେଶ ନଂ ୦୫/୨୫ ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି । ଘଟଣାସ୍ଥଳରେ କଣ୍ଟାବାଞ୍ଜି ଏସ୍‌ଡିପିଓ ଲକ୍ଷ୍ମୀ ନାରାୟଣ ମାରାଣ୍ଡି, ଥାନା ଆଇଆଇସି ସିପୋରା ସରାୟ ଲୁଗୁନ, ମାଜିଷ୍ଟ୍ରେଟ ଦାୟିତ୍ୱରେ ଅତିରିକ୍ତ ତହସିଲଦାର ଖଦାଳ ପାତ୍ରଙ୍କ ସହ ପୁଲିସ ଟିମ ଉପସ୍ଥିତ ଥିଲେ । ବଲାଙ୍ଗିରରୁ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ କରିଥିଲା । ପୁଲିସ ଉଭୟଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ ପଠାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ସେହିପରି ଗୁଡିଘାଟ ଗ୍ରାମର ପ୍ରେମ ଓରଫ ଡ଼ାକ୍ତର ମାଝୀ(୨୫) ଓ ତାଙ୍କ ପତ୍ନୀ ଭାନୁମତୀ ମାଝୀ(୨୩)ଙ୍କ ମୃତଦେହ ମଧ୍ୟ ସନ୍ଦେହ ଜନକ ଅବସ୍ଥାରେ ତାଙ୍କ ଘରେ ପଡ଼ିଥିବା ପଡ଼ୋଶୀ ଓ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଉଭୟ ୩ବର୍ଷ ତଳେ ବିବାହ କରିଥିବା ବେଳେ କୌଣସି ପାରିବାରିକ କଳହରୁ ସେମାନେ ଘର ଭିତରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପରିବାର ଲୋକଙ୍କ ଏତଲା ଆଧାରରେ ପୁଲିସ ଅପମୃତ୍ୟୁ କେଶ ନଂ ୦୬/୨୫ ରୁଜ୍ଜୁ କରି ଉଭୟଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ପଠାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଦୁଇଟି ଅଭାବନୀୟ ଘଟଣାରେ ଉଭୟ ସେମେଲପାଲି ଓ ଗୁଡିଘାଟ ସମେତ ସମଗ୍ର ବ୍ଲକ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୁଲିସ ଉଭୟ ଘଟଣାକୁ ଅତି ଗୁରୁତ୍ୱର ସହ ନେଇ ତନାଘନା ତଦନ୍ତ ଜାରି ରଖିଥିବା ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.