● ଅଗଷ୍ଟ ୨୦୨୫ରୁ ଆରମ୍ଭ ହେବାକୁ ଯାଉଛି ଆଇଆଇସିଟିର ପ୍ରାରମ୍ଭିକ ବ୍ୟାଚ୍
ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ସୃଜନଶୀଳ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇସିଟି) ଆସନ୍ତା ଅଗଷ୍ଟରୁ ଏହାର ପ୍ରଥମ ବ୍ୟାଚ୍ ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ କରିବାକୁ ଯାଉଛି । ପ୍ରଥମ ଥର ଏହି ଶିକ୍ଷାନୁଷ୍ଠାନରେ ନାମ ଲେଖା ଆରମ୍ଭ ହେବା ସହିତ ଭାରତର ଡିଜିଟାଲ ଓ ସୃଜନଶୀଳ ଅର୍ଥବ୍ୟବସ୍ଥାରେ ଜାରି ରହିଥିବା ପରିବର୍ତ୍ତନ ଏକ ନୂତନ ସୋପାନକୁ ଉନ୍ନୀତ ହେବାକୁ ଯାଉଛି । ଏହି ପ୍ରତିଷ୍ଠାନରେ ଛାତ୍ରଛାତ୍ରୀମାନେ ଏଭିଜିସି-ଏକ୍ସଆର(ଏନିମେସନ, ଭିଜୁଆଲ ଇଫେକ୍ଟସ୍, ଗେମିଂ, କମିକ୍ସ ଏବଂ ଏକ୍ସଟେଣ୍ଡେଡ୍ ରିୟଲିଟି) ଭଳି କ୍ଷେତ୍ରରେ ଉଦ୍ୟାଗ ଅନୁକୂଳ ପାଠ୍ୟକ୍ରମରେ ନାମ ଲେଖାଇପାରିବେ ।
ମଇ ୨୦୨୫ରେ ଅନୁଷ୍ଠିତ ବିଶ୍ୱ ଅଡିଓ ଭିଜୁଆଲ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ (ଓ୍ୱେଭ୍ସ) ଅବସରରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଆଇଆଇସିଟି ପ୍ରତିଷ୍ଠା ସମ୍ପର୍କରେ ଘୋଷଣା କରିଥିଲେ । ଏହି ଅନୁଷ୍ଠାନକୁ ପ୍ରତିଷ୍ଠିତ ବିଶ୍ୱ ଭାଗିଦାର ଏବଂ ଶିଳ୍ପପତିଙ୍କର ସମର୍ଥନ ରହିଛି । ପ୍ରାରମ୍ଭିକ ଶିକ୍ଷା ବର୍ଷରେ ଏହି ଅନୁଷ୍ଠାନ ଗେମିଂ କ୍ଷେତ୍ରରେ ଛଅଟି ସ୍ୱତନ୍ତ୍ର ପାଠ୍ୟକ୍ରମ, ପୋଷ୍ଟ ପ୍ରଡକ୍ସନରେ ଚାରିଟି ପାଠ୍ୟକର୍ମ ଏବଂ ଏନିମେସନ, କମିକ୍ସ ଓ ଏକ୍ସଆର୍ କ୍ଷେତ୍ରରେ ଆଠଟି ପାଠ୍ୟକ୍ରମ ପ୍ରଚଳନ କରିବାକୁ ଯାଉଛି । ଏହି ପାଠ୍ୟକ୍ରମଗୁଡ଼ିକୁ ଶ୍ରେଷ୍ଠ ଶିଳ୍ପ ସଂସ୍ଥାମାନଙ୍କ ସହଯୋଗରେ ସତର୍କତାର ସହ ଡିଜାଇନ୍ କରାଯାଇଛି । ଚିର ପରିବର୍ତ୍ତନଶୀଳ ସୃଜନଶୀଳ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉନ୍ନତି ପାଇଁ ଏସବୁ ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକୀୟ ଦକ୍ଷତାରେ ପ୍ରଶିକ୍ଷିତ କରିବ । ଭାରତୀୟ ସୃଜନଶୀଳ ପ୍ରଯୁକ୍ତି ପ୍ରତିଷ୍ଠାନ ନିକଟରେ ବ୍ରିଟେନର ୟର୍କ ବିଶ୍ୱବିଦ୍ୟାଳୟ ସହିତ ଏକ ଐତିହାସିକ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଫଳରେ ସହଯୋଗୀ ଗବେଷଣା, ଅଧ୍ୟାପକ ବିନିମୟ ଏବଂ ବିଶ୍ୱ ପ୍ରମାଣପତ୍ର ପଥ ପାଇଁ ପଥ ପ୍ରଶସ୍ତ ହୋଇଛି । ଗୁଗୁଲ୍, ୟୁଟ୍ୟୁବ୍, ଏଡୋବ୍, ମେଟା, ମାଇକ୍ରୋସଫ୍ଟ, ଏନଭିଆଇଡିଆଇଏ ଏବଂ ଜିଓଷ୍ଟାର ଭଳି ବିଶ୍ୱସ୍ତରୀୟ କମ୍ପାନୀ ଆଇଆଇସିଟି ସହ ଦୀର୍ଘକାଳୀନ ସହଯୋଗ ନିମନ୍ତେ ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି । ସେମାନଙ୍କର ସମର୍ଥନରେ ପାଠ୍ୟକ୍ରମ ବିକାଶ, ଛାତ୍ରବୃତ୍ତି, ଇଣ୍ଟର୍ନସିପ୍, ଷ୍ଟାର୍ଟଅପ୍ ଇନକ୍ୟୁବେସନ୍ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ଆଇଆଇସିଟିର ସିଇଓ ଡକ୍ଟର ବିଶ୍ୱାସ ଦେଉସ୍କର କହିଛନ୍ତି ଯେ ସେମାନଙ୍କର ଲକ୍ଷ୍ୟ ହେଉଛି ବିଶ୍ୱସ୍ତରୀୟ ପ୍ରତିଭାଙ୍କୁ ପ୍ରୋତ୍ସାହନ ପ୍ରଦାନ କରି ଏଭିଜିସି-ଏକ୍ସଆର କ୍ଷେତ୍ରରେ ଭାରତକୁ ଏକ ବିଶ୍ୱସ୍ତରୀୟ ମହାଶକ୍ତିରେ ପରିଣତ କରିବା । ଭାରତର ଗତିଶୀଳ ସୃଜନଶୀଳ ସମ୍ଭାବନାକୁ ଆଧାର କରି ବିଶ୍ୱସ୍ତରୀୟ ମାନଦଣ୍ଡ ପୂରଣ କରିବା ପାଇଁ ଏହି ପାଠ୍ୟକ୍ରମଗୁଡ଼ିକୁ ଡିଜାଇନ୍ କରାଯାଇଛି । ଚଳିତ ମାସ ଶେଷରେ ବିସ୍ତୃତ ପାଠ୍ୟକ୍ରମ ଘୋଷଣା କରାଯିବ ବୋଲି ଆଶା କରାଯାଉଛି । ଆଇଆଇସିଟିର ପ୍ରଶାସନିକ ବୋର୍ଡରେ ସଞ୍ଜୟ ଜାଜୁ, ବିକାଶ ଖର୍ଗେ, ସ୍ୱାତୀ ମହସେ, ଚନ୍ଦ୍ରଜିତ ବାନାର୍ଜୀ, ଆଶୀଷ କୁଲକର୍ଣ୍ଣି, ମାନବେନ୍ଦ୍ର ଶୁକୁଲ ଏବଂ ରଞ୍ଜନ ନବାନୀ ରହିଛନ୍ତି । ସେହିପରି ପରିଚାଳନା ପରିଷଦ ସଦସ୍ୟଙ୍କ ମଧ୍ୟରେ ମୁଞ୍ଜାଲ ଶ୍ରଫ୍, ଚୈତନ୍ୟ ଚିଚଲିକର, ବୀରେନ ଘୋଷ, ଭୂପେନ୍ଦ୍ର କଇଁଥୋଲା ଗୌରବ ବାନାର୍ଜୀଙ୍କୁ ରଖାଯାଇଛି । ବିଶ୍ୱବ୍ୟାପୀ ଏଭିଜିସି-ଏକ୍ସଆର ଶିଳ୍ପ ଦ୍ରୁତ ଗତିରେ ବୃଦ୍ଧି ପାଇବାର ଆକଳନ କରାଯାଉଛି । ଆଇଆଇସିଟିର ବ୍ୟାପକ ପାଠ୍ୟକ୍ରମ ପ୍ରଦାନର ଲକ୍ଷ୍ୟ ହେଉଛି ଏକ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରତିଭା ଭଣ୍ଡାର ନିର୍ମାଣ କରିବା ଯାହା ଭାରତର ସୃଜନଶୀଳ ଅର୍ଥବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେବ । ଏଥିସହିତ ଦେଶକୁ ଇମର୍ସିଭ୍ ଏବଂ ଡିଜିଟାଲ୍ ବିଷୟବସ୍ତୁ ପ୍ରଯୁକ୍ତିବିଦ୍ୟାରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବରେ ସ୍ଥାନିତ କରିବ ।